Latest Odisha News

ଦୁଲୀପ ଟ୍ରଫିରେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୂଶୀର ଖାଁ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ମୂଶୀର ଖାଁ ପ୍ରଭାବିତ ପ୍ରଦର୍ଶନ କରିବା ପରେ ଏବେ ଦୁଲୀପ ଟ୍ରଫି ପଦାର୍ପଣରେ କମାଲ କରୁଛନ୍ତି । ସେ ଦୁଲୀପ ଟ୍ରଫି ପଦାର୍ପଣ ମ୍ୟାଚରେ କମ ବୟସରେ ସର୍ବାଧିକ ରନ ସଂଗ୍ରହ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସର୍ଫରାଜ ଖାଁଙ୍କ ଛୋଟ ଭାଇ ଇଣ୍ଡିଆ ଏ ବିପକ୍ଷରେ ୩୭୩ ବଲର ସମ୍ମୁଖୀନ ହୋଇ ୧୬ ଚୌକା ଓ ୫ଛକା ସହାୟତାରେ ୧୮୧ ରନ କରି କୂଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ସଚିନ ୧୯୯୧ରେ ପଶ୍ଚିମାଂଚଳ ପକ୍ଷରୁ ଖେଳି ପୂର୍ବାଂଚଳ ବିପକ୍ଷରେ ୧୫୯ ରନ ସଂଗ୍ରହ କରିଥିଲେ ।

ଓଭରାଲ ଦୁଲୀପ ଟ୍ରଫି ପଦାର୍ପଣ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ବାବା ଅପରାଜିତଙ୍କ ନାମରେ ରହିଛି । ସେ ୨୧୨ ରନ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ବିନୋଦ କାମ୍ବଲୀ(୨୦୮), ୟଶ ଢ଼ୁଲ(୧୯୩), ମୁଶୀର ଖାଁ(୧୮୧) ଓ ଅଜିଙ୍କ୍ୟ ରାହାନେ(୧୭୨) ରହିଥିଲେ । ମୂଶୀରଙ୍କ ଆକର୍ଷଣୀୟ ଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ବି ୩୨୧ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଣ୍ଡିଆ ଏ ୨ ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି । ରିୟାନ ପରାଗ ୨୭ ଓ କେଏଲ ରାହୁଲ ୨୩ ରନ କରି ଅପରାଜିତ ଅଛନ୍ତି ।

Comments are closed.