ଲକ୍ଷ୍ନୌ: କ୍ରମାଗତ ୩ଟି ପରାଜୟ ସହ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଅଭିଯାନ ଆରମ୍ଭ କରିଥିବା ଓଡିଶା ଏବେ ବିଜୟ ରଥରେ ସବାରୀ ହୋଇଛି । ବିପ୍ଲବ ସାମନ୍ତରାୟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆସାମକୁ ୭୩ ରନରେ ହରାଇବା ସହ ଓଡିଶା ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ କରିଥିଲା । ଆଶୀର୍ବାଦ ସ୍ୱାଇଁ ୫୧ ରନ(୨୮ ବଲ, ୩ ଚୌକା, ୩ ଛକା) କରି ଅପରାଜିତ ରହିଥିବା ବେଳେ ବିପ୍ଲବ ସାମନ୍ତରାୟ ୪୨ ରନ( ୩୨ ବଲ, ୩ଚୌକା, ୨ଛକା) କରିଥିଲେ । ଆସାମର ଅବଦୁଲ କ୍ୟୁରେଶୀ ୨ଟି ୱିକେଟ ନେଇଥିଲେ ।
୧୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆସାମ ୧୬ ଓଭରରେ ୯୮ ରନ କରି ଅଲଆଉଟ ହୋଇ ଯାଇଥିଲା । ସୁମିତ ଗାଦିଗାଁଓକର ସର୍ବାଧିକ ୪୩ ରନ କରିଥିଲେ । ବିପ୍ଲବ ୨ରନରେ ୩ଟି ଓ ବାଦଲ ବିଶ୍ୱାଳ ୨୮ ରନରେ ୨ଟି ୱିକେଟ ନେଇ ଆସାମକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଓଡିଶାର ସମସ୍ତ ବୋଲର ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ବିପକ୍ଷ ଦଳକୁ କୌଣସି ସୁଯୋଗ ପ୍ରଦାନ କରି ନ ଥିଲେ । ଓଡିଶା ତାର ଶେଷ ମ୍ୟାଚରେ ମୁମ୍ବାଇକୁ ଭେଟିବ । ଓଡିଶା ବିଜୟ ହାସଲ କଲେ ମଧ୍ୟ ସୁପର ଲିଗ ଷ୍ଟେଜକୁ ଉନ୍ନୀତ ହୋଇପାରିବ ନାହିଁ ।