Latest Odisha News

ଶାହାବାନୋଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟର ରକ୍ଷଣଶୀଳ ନୀତିନିୟମରୁ ମୁକ୍ତି ଚାହୁଁଥିବା ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଛାଡପତ୍ର ପାଇଥିବା ମୁସଲିମ ମହିଳାମାନେ ଭରଣପୋଷଣ ପାଇଁ ହକଦାର ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସିଆରପିସି ଧାରା ୧୨୫ ଅନୁସାରେ ଛାଡପତ୍ର ପାଇଥିବା ସବୁ ମହିଳା ନିଜର ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ଅର୍ଥ ପାଇବେ । ଏଥିରେ କୌଣସି ଧର୍ମର ପର୍ସନାଲ ଲ’ ପ୍ରତିବନ୍ଧକ ହେବ ନାହିଁ ବୋଲି ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସିଆରପିସି ଧାରା ୧୨୫ ଏକ ଧର୍ମନିରପେକ୍ଷ ଆଇନ୍ । ଏଥିରେ ମୁସଲିମ ମହିଳା ସୁରକ୍ଷା ଅଧିକାର ଓ ବିବାହ ବିଚ୍ଛେଦ ଆଇନ ୧୯୮୬ କିମ୍ବା କୌଣସି ଧର୍ମର ପର୍ସନାଲ ଲ’ର କୌଣସି ସ୍ଥାନ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରଗତିଶୀଳ ଓ ଉଦାରବାଦୀ ମୁସଲିମ ସମାଜକୁ ଆନନ୍ଦିତ କରିବ ନିଶ୍ଚିତ । ରକ୍ଷଣଶୀଳ ଓ ମହିଳାଙ୍କ ପ୍ରତି ଭେଦଭାବ ରଖୁଥିବା ମୁଷ୍ଟିମେୟ କଠୋରପନ୍ଥୀ ମୁସଲିମ ହୁଏତ ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିବେ ନାହିଁ । ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରୁଥିବା ନେତାଙ୍କୁ ବି ସୁହାଇବ ନାହିଁ ସୁପ୍ରିମକୋର୍ଟଙ୍କ ରାୟ ।

ଧର୍ମ ନିର୍ବିଶେଷରେ ଦେଶର ମହିଳା ଛାଡପତ୍ର ମାମଲାରେ ଏକପ୍ରକାର ସୁବିଧାସୁଯୋଗ ପାଇବାକୁ ହକଦାର୍ । ସୁପ୍ରିମକୋର୍ଟ କହିଛନ୍ତି ଯେ, ମୁସଲିମ ମହିଳା ସୁରକ୍ଷା ଅଧିକାର ଓ ବିବାହ ବିଚ୍ଛେଦ ଆଇନ ୧୯୮୬ ପ୍ରଚଳନ ଥିବା ସତ୍ତ୍ୱେ ଛାଡପତ୍ର ପାଇଥିବା ମହିଳାମାନେ ଭରଣପୋଷଣ ଦାବି କରିପାରିବେ ।

ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ୧୯୮୬ ଆଇନର ଧାରା ୩ ଅପେକ୍ଷା ସିଆରପିସିର ଧାରା ୧୨୫ ଛାଡପତ୍ର ପାଇଥିବା ମହିଳାମାନଙ୍କ ପାଇଁ ଅଧିକ ଉପେଯାଗୀ । ୧୨୫ ଧାରା ଅନୁସାରେ ଛାଡପତ୍ର ପାଇଥିବା ମହିଳାଙ୍କୁ ପୁନଃବିବାହ କରିବା ଯାଏଁ ଓ ସେମାନଙ୍କ ସନ୍ତାନଙ୍କ ସାବାଳକ ହେବା ଯାଏଁ ପୂର୍ବତନ ସ୍ୱାମୀ ଭରଣପୋଷଣ ଦେବେ । କିନ୍ତୁ ୧୯୮୬ ଆଇନରେ ଛାଡପତ୍ର ପାଇଥିବା ମୁସଲିମ ମହିଳାମାନଙ୍କୁ ମାତ୍ର ସୀମିତ ସମୟ ପାଇଁ ହିଁ ଭରଣପୋଷଣ ଦେବା ବ୍ୟବସ୍ଥା ରହିଛି ।

ଛାଡପତ୍ର ମୁସଲିମ ମହିଳାମାନଙ୍କ ଭରଣପୋଷଣ ବାବଦରେ ୧୯୮୫ରେ ମଧ୍ୟ ସୁପ୍ରିମକୋର୍ଟ ଦେଇଥିଲେ ଏକ ଐତିହାସିକ ରାୟ । ଭୋପାଳର ପୀଡିତା ମହିଳା ଶାହାବାନୋଙ୍କୁ ଭରଣପୋଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହେଲେ ସେତେବେଳେ ରକ୍ଷଣଶୀଳ ମୁସଲିମ ସଂପ୍ରଦାୟ ଏହାର ଦୃଢ ବିରୋଧ କରିଥିଲେ । ୧୯୮୬ରେ ତତ୍କାଳୀନ ରାଜୀବ ଗାନ୍ଧି ସରକାର କଂଗ୍ରେସର ସଂଖ୍ୟାଲଘୁ ଭୋଟବ୍ୟାଙ୍କକୁ ସନ୍ତୁଷ୍ଟ କରିବାକୁ ଏକ ଆଇନ ପ୍ରଣୟନ କରି ମୁସଲିମ ପର୍ସନାଲ ଲ’ରେ ହସ୍ତକ୍ଷେପ ନକରିବାର ବ୍ୟବସ୍ଥା କରିଥିଲେ ।

ତେବେ ଛାଡପତ୍ର ପାଇଥିବା ମୁସଲିମ ମହିଳାମାନଙ୍କ ପାଇଁ ସ୍ୱଳ୍ପ ଦିନ ପାଇଁ ସୀମିତ ଭରଣପୋଷଣର ବ୍ୟବସ୍ଥା ହିଁ କରାଯାଇଥିଲା । ନୂଆ ଆଇନ ସେତେବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା । କିନ୍ତୁ ରକ୍ଷଣଶୀଳ ମୁସଲିମ ସମାଜ ଖୁସି ହୋଇଥିଲେ । ଆଜି ଠିକ୍ ସେହିଭଳି ଏକ ଭରଣପୋଷଣ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ମହିଳାମାନଙ୍କ ସ୍ୱାଭିମାନ ଓ ଅଧିକାରକୁ ସମ୍ମାନ ଦେଇଛି ।

Comments are closed.