Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ଅମୋଲ ଭାରତକୁ ଦେଲେ ମୂଲ୍ୟବାନ ଉପହାର

ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇବା ପରେ ପ୍ରତ୍ୟେକ ଖେଳାଳିଙ୍କ ଆଖିରେ ଖୁସୀର ଲୁହ ଥିଲା । ତେବେ ଭାରତକୁ ବିଶ୍ୱ ବିଜୟୀ କରାଇବାରେ ଅମୋଲ ମଜମୁଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଚମତ୍କାର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ସତ୍ୱେ ମଜମୁଦାର ଭାରତୀୟ ଟିମ ପକ୍ଷରୁ ଖେଳିବା ସୁଯୋଗ ପାଇ ନ ଥିଲେ । ତେବେ କୋଚ ଭାବେ ସେ ଆଜି ଯାହା କରି ଦେଖାଇଛନ୍ତି ତାହା କୌଣସି କ୍ରିକେଟପ୍ରେମୀ ଭୁଲିପାରିବେ ନାହିଁ ।

ଭାରତ ଏହା ପୂର୍ବରୁ ୨୦୦୫ ଓ ୨୦୧୭ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନ ଥିଲା । ମୁମ୍ବାଇର ଏହି ପୂର୍ବତନ ଖେଳାଳି ଭାରତୀୟ ମହିଳାଙ୍କ ମନରେ ଜିତିବାର ଝୁଙ୍କ ଭରିଥିଲେ । ୨୦୧୪ରେ ସେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ନେଦରଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ରାଜସ୍ଥାନ ରୟାଲ୍ସ ଟିମ ସହିତ କାମ କରିଛନ୍ତି । ୨୦୨୩ରେ ତାଙ୍କୁ ଭାରତୀୟ ମହିଳା ଟିମର କୋଚ ନିଯୁକ୍ତ କରାଯାଇଥିଲା । ଅନେକ ପ୍ରଶ୍ନ ଉଠିଥିଲା । ଯିଏ କେବେ ହେଲେ ଦେଶ ପକ୍ଷରୁ ଖେଳିନି ସିଏ ପୁଣି ଭାରତକୁ ବିଶ୍ୱବିଜୟୀ କରାଇବେ । ଏବେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ପୂର୍ବରୁ ମଜମୁଦାର ଖେଳାଳିଙ୍କ ଡ୍ରେସିଂ ରୁମରେ ଲେଖିଥିଲେ, ଆମକୁ ଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କଠାରୁ ଅଧିକ ରନ ଆବଶ୍ୟକ । ଅଧିନାୟିକ ହରମନପ୍ରୀତ କୌର ଏବଂ ଅନ୍ୟମାନଙ୍କୁ ଏହି ଲାଇନ ବେଶ ପ୍ରଭାବିତ କରିଥିଲା । ଜେମିମା ରୋଡ୍ର‌୍ୟୁଗସଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ସେ କହିଥିଲେ । ତାଙ୍କ ଶତକ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ଉତ୍ସବ ସମସ୍ତେ ପାଳନ କରୁଥିଲେ । ଅମୋଲ ଶାନ୍ତ ଚେହେରା ସହ ଛଳ ଛଳ ଆଖିaରେ ଏହାକୁ ଉପଭୋଗ କରୁଥିଲେ ।

୧୯୯୩ରେ ସେ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୧୭୧ ମ୍ୟାଚରେ ସେ ୧୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୦ ଶତକ ସାମିଲ । ବିଜୟୀ ହେବା ପରେ ହରମନପ୍ରୀତ ତାଙ୍କ ପାଦ ଛୁଇଁଥିଲେ । ସେ ତାଙ୍କୁ ଖୁସିରେ କୁଣ୍ଢେଇ ପକାଇଥିଲେ । ଖେଳାଳିଙ୍କ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଥିଲା । ତାହାର ଫଳ ଆଜି ସାରା ଭାରତ ଦେଖୁଛି ।

Comments are closed.