ନୂଆଦିଲ୍ଲୀ: ପ୍ରଳୟଙ୍କାରୀ ଭୂକମ୍ପରେ ଥରହର ମିଆଁମାର । ଗତକାଲି ଘଟିଥିବା ଦୁଇ ଦୁଇଟି ଭୟଙ୍କର ଭୂକମ୍ପରେ ଧରାଶାୟୀ ହୋଇଯାଇଛି ଅଧା ମିଆଁମାର । ଧିରେ ଧିରେ ଭୂମିକମ୍ପରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୬୯୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଭୂମିକମ୍ପରେ ୧୬୭୦ ଜଣ ଆହତ ହୋଇଛନ୍ତି । ତେବେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେର ଆଶଙ୍କା କରାଯାଇଛି ।
ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଥିଲା । ପ୍ରଥମ ଝଟ୍କା ଦିନ ୧୧ଟା ୫୦ରେ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ଼ କରାଯାଇଛି। ଏହାପରେ ଦ୍ଵିତୀୟ ଥର ପାଇଁ ଦିନ ୧୨ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭.୦ ରେକର୍ଡ଼ ହୋଇଛି।
ଭୂମିକମ୍ପ କାରଣରୁ ମିଆଁମାରର ମାଣ୍ଡଲେରେ ଇରାଓ୍ବଡି ନଦୀ ଉପରେ ଥିବା ଲୋକପ୍ରିୟ ଆଭା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଭୂକମ୍ପରେ ଅନେକ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଛି । ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍କୁ ଇମର୍ଜେନ୍ସି ଜୋନ୍ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ତେବେ ମିଆଁମାରକୁ ସହାୟତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଭାରତୀୟଙ୍କ ଲାଗି ହେଲପଲାଇନ ଜାରି କରାଯାଇଛି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି ।
Comments are closed.