Latest Odisha News

BREAKING NEWS

ନବଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଖିଅ ପାଉନି ନା ଜାଣି ଅଜଣା?

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ନିର୍ମମ ହତ୍ୟା ଘଟଣାକୁ ୨୬ ଦିନ ବିତିଛି। ହେଲେ ପଶ୍ଚିମ ଓଡ଼ିଶାର ଏହି ହେଭିଓ୍ୱେଟ ନେତାଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟାର ଉଦ୍ଦେଶ୍ୟ ସ୍ପଷ୍ଟ କରିନାହିଁ।

ବିରୋଧୀ ବିଜେପି ଏବଂ କଂଗ୍ରେସ ତଦନ୍ତକୁ ନେଇ ସନ୍ଦେହ କରୁଥିବା ବେଳେ ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ କିମ୍ବା ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏତଦବ୍ୟତୀତ ମନ୍ତ୍ରୀଙ୍କ ହତ୍ୟା ପଛରେ ବହିଷ୍କୃତ ଏଏସ୍ଆଇ ଗୋପାଳ ଦାସଙ୍କ ଉଦ୍ଦେଶ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଜାଣିଶୁଣି ପ୍ରକାଶ କରୁନଥିବା ଅଭିଯୋଗ କରିଛନ୍ତି।

କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ତିନିଟି ପର୍ଯ୍ୟାୟରେ ୧୩ ଦିନିଆ ରିମାଣ୍ଡରେ ଆଣିଥିଲା ଏବଂ ଜେରା ବେଳେ ତଦନ୍ତକାରୀ ସଂସ୍ଥା ହତ୍ୟାକାଣ୍ଡ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଭିଯୁକ୍ତଙ୍କ ନିକଟରୁ ବାହାର କରିଥିବା ଅନୁମାନ କରାଯାଉଛି। ସେପଟେ ଏହି ସମ୍ବେଦନଶୀଳ ମାମଲାରେ କ୍ରାଇମବ୍ରାଞ୍ଚର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। କ୍ରାଇମବ୍ରାଞ୍ଚ ସବୁ ଜାଣିଛି କିନ୍ତୁ ତାହା ପ୍ରକାଶ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର।

ସମାନ କଥା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ହତ୍ୟା ପଛର ଉଦ୍ଦେଶ୍ୟ କଣ କ୍ରାଇମବ୍ରାଞ୍ଚ ଭଲ ଭାବେ ଜାଣିଛି। ସଠିକ୍ ତଦନ୍ତ ପରେ ସତ୍ୟ ପଦାକୁ ଆସିବା ଉଚିତ ।

କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି, କାହିଁକି କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟାକାଣ୍ଡର କାରଣ ଖୋଜି ପାଇନାହିଁ। ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କିମ୍ବା ସେମାନଙ୍କ ପାଖରେ ସାମର୍ଥ୍ୟ ନାହିଁ।

ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ତଦନ୍ତ ଚାଲିଛି। ଆଶା କରାଯାଉଛି ତଦନ୍ତର ଫଳାଫଳ ବାହାରିବ। ଏହା ପୂର୍ବରୁ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ଭାରସାମ୍ୟହୀନ ଭାବେ ଦର୍ଶାଇବା ପାଇଁ କ୍ରାଇମବ୍ରାଞ୍ଚ କେବେ ଚେଷ୍ଟା କରିନାହିଁ।

ଉଲ୍ଲେଖଯୋଗ୍ୟ, ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ ପାଇଁ ଓଡ଼ିଶା ସରକାର ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ)ର ସହାୟତା ଲୋଡ଼ିଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ପରେ ଏଫବିଆଇ ଆସିବ । ଏହି ଟିମ୍ କ୍ରାଇମବ୍ରାଞ୍ଚକୁ ଅଭିଯୁକ୍ତର ବିହେଭିଅର ବା ଆଚରଣ ବାବଦରେ ତଦନ୍ତ କରି ସହଯୋଗ କରିବ।

Comments are closed.