Latest Odisha News

BREAKING NEWS

ନବ ଦାସଙ୍କ ହତ୍ୟାର ତଦନ୍ତ କେବଳ ଅଭିଯୁକ୍ତ ଉପରେ କେନ୍ଦ୍ରୀଭୂତ ରହିଛି: ବିରୋଧୀ

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ଏଯାଏ ପରଦା ଉଠାଇ ପାରି ନଥିବା ବେଳେ କଂଗ୍ରେସ ଓ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ସୋମବାର ଓଡ଼ିଶା ବିଧାନସଭାର ଶୂନ୍ୟକାଳରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ପୁଣି ଉଠଇଥିଲେ ବିରୋଧୀ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନବ ଦାସ ହତ୍ୟାକାଣ୍ଡକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହି ଗୁରୁତର ଅଭିଯୋଗ ଆଣିଛନ୍ତି। ତାରା ବାହିନୀପତିଙ୍କ କହିବାନୁସାରେ, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି। ହେଲେ ଏହି ତଦନ୍ତରେ ଲୋକେ ଖୁସି ନାହାନ୍ତି। ବର୍ତ୍ତମାନ ଯାଏ ଚାଲିଥିବା ତଦନ୍ତ କେବଳ ଅଭିଯୁକ୍ତ ତଥା ବରଖାସ୍ତ ହୋଇଥିବା ଏଏସ୍ଆଇ ଗୋପାଳ ଦାସ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ନା ନାହିଁ ତାହା ଜାଣିବାରେ ସୀମିତ ରହିଛି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିବା ବେଳେ ସେ ଏହା କହିଛନ୍ତି।

ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ଯେ ନବ ଦାସଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର ଏତେ ଦିନ ପରେ ମଧ୍ୟ କ୍ରାଇମବ୍ରାଞ୍ଚର ହାତ ଖାଲି ରହିଛି, କାରଣ ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି କି ନାହିଁ ତାହା ଏବେ ବି ରହସ୍ୟ ଘେରରେ ରହିଛି।

ସାଲୁଜା ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱର୍ଗତ ମନ୍ତ୍ରୀ ନବ ଦାସ ଏବଂ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଥିବା ଜଣାପଡିଛି। ତେଣୁ ଭଟଲି ବିଧାୟକଙ୍କୁ ମଧ୍ୟ ଚାଲିଥିବା ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।

ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ। କେବଳ ଗୋପାଳ ଦାସ ଓ ତାଙ୍କ ମାନସିକ ସ୍ଥିତି ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କେନ୍ଦ୍ରୀଭୂତ। ଅନେକ ଦିଗକୁ ନେଇ ତଦନ୍ତ ହେବା ଦରକାର। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କ୍ରାଇମବ୍ରାଞ୍ଚ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରିପାରିବ ନାହିଁ ଏବଂ କେବଳ ସିବିଆଇ ହିଁ ଏହି ମାମଲାକୁ ଏହାର ଯୁକ୍ତିଯୁକ୍ତ ପରିଣତି ପର୍ଯ୍ୟନ୍ତ ନେଇପାରିବ।

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ୧୯୯୨ ମସିହାରେ ପ୍ରଥମେ କନେଷ୍ଟବଳ ଭାବେ ନିଯୁକ୍ତି ପାଇ ବ୍ରହ୍ମପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ ଥିଲେ। ପରେ ୨୦୦୯ ମସିହାରେ ଗୋପାଳ ଦାସ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ପାଇ ୧୩ ବର୍ଷ ମଧ୍ୟରେ ବିଭିନ୍ନ ଥାନା ଓ ଫାଣ୍ଡିରେ କାମ କରିଥିଲେ ବୋଲି ବିଧାୟକ କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଶା ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ, ଗୋପାଳ ଦାସଙ୍କୁ ତାଙ୍କ ସେବା ପାଇଁ ୪୫ଟି ପୁରସ୍କାର ମିଳିଥିଲା, ଯେଉଁଥିରେ ଜିଏସ୍ ମାର୍କ ବର୍ଗରେ ୧୮ଟି ପୁରସ୍କାର, ୯ଟି ଅର୍ଥ ପୁରସ୍କାର ଏବଂ ୧୮ଟି ପ୍ରଶଂସାପତ୍ର ସାମିଲ ଥିଲା।

 

Comments are closed.