ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆସିଛି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତି କରି ଆଜି ସକାଳୁ ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଭିଜିଲାନ୍ସ ଟିମ । ଚଢାଉ ବେଳେ ଉପଜିଲ୍ଲାପାଳଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ । ଏପରିକି ତାଙ୍କର ଛାତ ଉପରୁ ବିଡା ବିଡା ଟଙ୍କା ଜବତ କରିିଛି ଭିଜିଲାନ୍ସ ।
ଉପଜିଲ୍ଲାପାଳଙ୍କ ଭଦ୍ରକ, ଭୁବନେଶ୍ୱର ଘର ସମେତ ୯ଟି ସ୍ଥାନରେ ଚଢଉ ଚାଲିଛି । ଏହି ପ୍ରଶାସନିକ ଅଧିକାରୀଙ୍କର ଭୁବନେଶ୍ୱର କାନନ ବିହାରରେ ରହିଛି ଦୁଇ ମହଲା ବିଶିଷ୍ଟ ଘର । ଏହି ଘର ସମେତ , ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ଭଦ୍ରକର ବାହୁଡରଡ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢଉ ଚାଲିଛି । ତେବେ କାନନ ବିହାର ସ୍ଥିତ ଘରୁ ମିଳିଛି ବିଡା ବିଡା ଟଙ୍କା । ୬ଟି ପେଟି ଟଙ୍କା ଜବତ ହୋଇଛି । ଏହି ପେଟିରେ ଖାଲି ୫୦୦ ଟଙ୍କିଆ ନୋଟ ଭର୍ତ୍ତି ହୋଇଥିଲା । ଏହି ଟଙ୍କା ପେଟି ପଡୋଶୀଙ୍କ ଛାତ ଉପରେ ଥିଲା । ଜବତ ଟଙ୍କାର ପରମାଣ ପ୍ରାୟ ୨ କୋଟି ହେବ ବୋଲି ଅନୁମାନ କରିଛି ଭିଜିଲାନ୍ସ । ଅନ୍ୟପକ୍ଷେ ଜୟପୁର ଭିଜିଲାନ୍ସ ଟିମ ନବରଙ୍ଗପୁର ସହରର ୩ ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଏ ସମ୍ପର୍କରେ ଏବେ କିଛି କହିବାପାଇଁ ମନା କରିଦେଇଛନ୍ତି।
ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପୂର୍ବ ରେକର୍ଡ ଦେଖିଲେ ଜଣାଯାଏ ପୂର୍ବରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି । ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ଥିବା ସମୟରେ ୧୧ ଲକ୍ଷ ଟଙ୍କାର ଏକ କାର୍ଯ୍ୟର ପ୍ରଶାସନିକ ଅନୁମତି ଦେବାପାଇଁ ଝିରିପାଣି ପ୍ରଜେକ୍ଟ ଅଫିସରଙ୍କ ଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେହିପରି ୨୦୧୨ ମସିହାରେ ଦାନଗଦି ବ୍ଲକରେ ବିଡ଼ିଓ ଥିବା ସମୟରେ ୫୮୪ କୁଇଣ୍ଟାଲ ପିଡ଼ିଏସ ଚାଉଳ ହଡପ କରିଥିବା ନେଇ ଭିଜିଲାନ୍ସ ଚାର୍ଜସିଟ ମଧ୍ୟ ଫାଇଲ କରିଛି।

Comments are closed.