Latest Odisha News

BREAKING NEWS

ବୁମରାଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ଆକିବ ନବୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଆହତ ସମସ୍ୟା ଯୋଗୁଁ ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସିରିଜରୁ ବାଦ୍ ପଡ଼ିଥିବା ବେଳେ, ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଫାଷ୍ଟ ବୋଲର ଆକିବ ନବୀଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି ।  ଆକିବ  ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ-କାଶ୍ମୀରର ପ୍ରଥମ କ୍ରିକେଟର ହୋଇଛନ୍ତି । ଏହା ପୂର୍ବରୁ ପରଭେଜ ରସୁଲ ଓ ଉମ୍ରାନ ମଲିକ ଭାରତୀୟ ଦଳରେ ସାମିଲ ହୋଇଥିଲେ ବି କେବଳ ୱାନଡେ ଓ ଟି-୨୦ ଫର୍ମାଟରେ ଖେଳିଛନ୍ତି । ଗୋଡ଼ ଆଘାତ  ସମ୍ପୂର୍ଣ୍ଣ ଭଲ ନହୋଇଥିବାରୁ, ଭବିଷ୍ୟତ କ୍ୟାରିୟରକୁ ଧ୍ୟାନରେ ରଖି ଟିମ୍ ମ୍ୟାନେଜମେଣ୍ଟ ବୁମରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଆକିବ ରଣଜୀ ଟ୍ରଫି ୨୦୨୫-୨୬ ସିଜନରେ ମାତ୍ର ୧୦ଟି ମ୍ୟାଚରେ ୬୦ଟି ୱିକେଟ ହାସଲ କରିଥିଲେ । ବିଗତ ଦୁଇଟି ରଣଜୀ ସିଜନରେ ସେ ମୋଟ ୧୦୪ଟି ୱିକେଟ ନେଇ ଚର୍ଚ୍ଚାକୁ ଆସିଛନ୍ତି । କ୍ୱାଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଶ୍ରେଷ୍ଠ ବୋଲିଂ କରି ଜମ୍ମୁ-କାଶ୍ମୀରକୁ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଅଗଷ୍ଟ ୧୫ ରୁ ଗାଲେ ଠାରେ ଆରମ୍ଭ ହେବ।  ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦-୨ରେ ହାରିବା ପରେ, ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ  ଫାଇନାଲ ରେସରେ ରହିବା ପାଇଁ ଭାରତକୁ ଏହି ସିରିଜ୍ ଜିତିବା ଅତ୍ୟନ୍ତ ଆବଶ୍ୟକ ।

Leave A Reply

Your email address will not be published.