Latest Odisha News

ପୁଣି ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା ! ଫୋକସରେ ଓଡ଼ିଶା ସମେତ ଏହି ସବୁ ରାଜ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ମାସ ଆରମ୍ଭରେ ଏହି ଆସନ ପାଇଁ ଭୋଟ୍ ପଡିବାକୁ ଯାଉଛି। ବିଜେପି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତ ପ୍ରକାର ଦମ୍ ଲଗାଇବ ବୋଲି ଜଣାପଡ଼ିଛି। ଦିିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ପ୍ରଭାରୀ ଡି ପୂରନ୍ଦେଶ୍ବରୀ ଇସାରା ଦେଇଛନ୍ତି। ଆଉ ଅନକମ୍ପାମୂଳକ ଭୋଟ୍ ହାତେଇ ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଉପନିର୍ବାଚନର ଭୁଲ ସଜାଡିବାକୁ ଦଳ ପ୍ରୟାସ କରିବ ବୋଲି ସୂଚନା ରହିଛି। ଏହାରି ଭିତରେ ବିଜେପି ସଭାପତି ଜେ.ପି ନଡ୍ଡା ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି। ହେଲେ ଉପନିର୍ବାଚନ ପ୍ରଚାର ପାଇଁ ଆସିବେ ନା ଦଳୀୟ କାର୍ଯ୍ୟକ୍ରମ ପାଇଁ ଆସିବେ ଏ ନେଇ କୌଣସି ସୂଚନା ମିଳିନାହିଁ।

ଗତ କିଛି ଦିନ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ଶେଷ ସପ୍ତାହରେ ନଡ୍ଡା ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ।ଏହାପୂର୍ବରୁ ଅଗଷ୍ଟରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ। ଏବେ ନଭେମ୍ବରରେ ନଡ୍ଡା ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବାର ସୂଚନା ରହିଛି। ତେଣୁ ଓଡ଼ିଶାରେ ଦଳ କିଭଳି ଅଧିକରୁ ଅଧିକ ଆସନ ଜିତିବ ସେ ନେଇ ପ୍ରୟାସ କରୁଥିବା ସୂଚନା ରହିଛି।

ଓଡ଼ିଶା ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ମିଶାଇ ମୋଟ୍ ୮୮ଟି ଲୋକସଭା ଆସନ ରହିଛି। ୨୦୧୯ରେ ଏହି ୮୮ଟି ଆସନରୁ ବିଜେପି ୪୦ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ଏହି ସଂଖ୍ଯା ବଢ଼ାଇବାକୁ ଚାହୁଁଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଆସନରୁ ବିଜୁ ଜନତା ଦଳ ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଆସାମର ୧୪ଟି ଆସନରୁ ବିଜେପି ୯ଟି, କଂଗ୍ରେସ ୩ଟି, ଏଆଇୟୁଡିଏଫ୍ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

ବେଙ୍ଗଲରେ ମୋଟ ୪୨ଟି ଆସନରୁ ଟିଏମସି ୨୨ଟି, ବିଜେପି ୧୮ଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି। ତ୍ରିପୁରାରେ ବିଜେପି ୨ଟି ଯାକ ଆସନରେ ବିଜୟୀ ହୋଇଥିଲା। ସେହିପରି ମେଘାଳୟ, ମଣିପୁର, ନାଗାଲାଣ୍ଡରେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି, ଅରୁଣାଚଳ ପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।

ଉଲ୍ଲେଖଯୋଗ୍ୟ, ଅମିତ ଶାହ ଓଡ଼ିଶା ଗସ୍ତରୁ ଫେରିବା ପରେ ସୁନୀଲ ବଂଶଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ନଡ୍ଡା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସରକାରକୁ ଟାର୍ଗେଟ କରିଥିଲେ। ଯାହାକି କର୍ମୀ ଏବଂ ନେତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିଛି ବୋଲି କୁହାଯାଉଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ବିଜେପିର ଭୂମିକା କଣ ରହିବ ସ୍ଥିର ହୋଇସାରିଛି। ଏପରି କହି ଆଗକୁ ୨୦୨୪ରେ ବିଜେପି-ବିଜେଡି ଲଢେଇ ପଞ୍ଚାୟତ ନିର୍ବାଚନ ବେଳେ ଯେପରି ହୋଇଥିଲା ତାଠାରୁ ଅଧିକ ଜୋରଦାର ହେବ ବୋଲି କହିଛନ୍ତି। ତେବେ ଏହାପୂର୍ବରୁ ନିକଟରେ ହେବାକୁ ଯାଉଥିବା ଧାମନଗର ଉପନିର୍ବାଚନରେ ଲଢେଇରେ ବିଜେପିର ଆଭିମୁଖ୍ୟ ଉପରେ ନଜର ରହିଛି।

ସେହିପରି ଦୁଇ ଦିନିଆ ଆସାମ ଗସ୍ତରେ ରହିଛନ୍ତି ଅମିତ ଶାହ ଓ ନଡ୍ଡା । ଏହାପରେ ଶାହ ସିକିମ ଗସ୍ତ କରିବାର ଯୋଜନା ରହିଛି। ଶାସକ ଦଳର ଶୀର୍ଷ ନେତା ବାରମ୍ବାର ଉତ୍ତର ପୂର୍ବ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମକୁ ନେଇ ଏବେ ଅନେକ ରାଜନୈତିକ ସଙ୍କେତ ମଧ୍ୟ ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବିଧାନସଭା ନିର୍ବାଚନ ପାଇଁ ଦଳ ନିଶ୍ଚିତ ଭାବେ ତିନି ରାଜ୍ୟ ଉପରେ ଗୁରୁତ୍ୱ ଦେଉଛି। ଏହି ତିନି ରାଜ୍ୟ ହେଲା ଉତ୍ତର-ପୂର୍ବାଞ୍ଚଳର ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ। ହେଲେ ଓଡ଼ିଶା ଓ ଆସାମ ଗସ୍ତ ୨୦୨୪ ପାଇଁ ବିଜେପିର ପ୍ରସ୍ତୁତିର ଏକ ଅଂଶବିଶେଷ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡି କେନ୍ଦ୍ରରେ ବିଜେପିର ସହଯୋଗୀ ଦଳ ହୋଇଥିବା ବେଳେ ବିଜେପି ଓଡ଼ିଶାରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି। ନିକଟରେ ସୁନୀଲ ବଂଶଲଙ୍କୁ ଓଡ଼ିଶା ଓ ବଙ୍ଗଳା ଦାୟିତ୍ୱ ଦିଆଯାଇଛି। ଓଡ଼ିଶାରେ ସେ ଅନେକ ସଭାସମିତି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡିରେ ଦ୍ୱିତୀୟ ପିଢ଼ିର ନେତୃତ୍ୱ ନାହିଁ ଏବଂ ବିଜେପି ଏହାକୁ ହାତେଇବାକୁ ଚାହୁଁଛି।

ବିଜେପି ରାଜ୍ୟସଭା ସାଂସଦ ସ୍ୱପନ ଦାସଗୁପ୍ତା କହିଛନ୍ତି, ସାରା ଦେଶରେ ବିଜେପି ନିଜର ସ୍ଥିତି ସମସ୍ତ ରାଜ୍ୟରେ ସମାନ କରିବାକୁ ଚାହୁଁଛି। ଗୁଜରାଟ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମରେ ଥିବା ରାଜ୍ୟଗୁଡ଼ିକରେ ଦଳ ଭଲ ସ୍ଥିତିରେ ରହିଛି। କିନ୍ତୁ ଏବେ ତୁଳନାରେ ଆହୁରି ମଜବୁତ ହେବାକୁ ହେବ। ୨୦୧୯ରେ ବେଙ୍ଗଲର ୧୮ଟି ଆସନ ଜିତିଥିଲା ତେଣୁ ବିଜେପିକୁ ୩୦୦ ଅତିକ୍ରମ କରିବାରେ ସହାୟକ ହୋଇଥିଲା। ତେଣୁ ସେହି ଭୋଟ୍ ଗୁଡ଼ିକୁ କିପରି ପୁନର୍ବାର ବଜାୟ ରହିବା ତାହା ଦଳ ପାଇଁ ଚ୍ୟାଲେଞ୍ଜ। ତେଣୁ ଦଳ ପୂର୍ବାଞ୍ଚଳକୁ ଅଧିକ ଗୁରୁତ୍ୱ ଦେଉଛୁ। ଏହି ରାଜ୍ୟ ତାଲିକାରେ ଝାଡ଼ଖଣ୍ଡ ଓ ବିହାର ମଧ୍ୟ ରହିଛି।

୨୦୨୧ରେ ଟିଏମସିକୁ ପରାଜିତ ନକରିପାରିଲେ ମଧ୍ୟ ବିଜେପି ବେଙ୍ଗଲରେ ପୂର୍ବ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରିଛି। ୨୦୨୪ରେ ବିଜେପି ୧୮ଟି ଆସନ ବଜାୟ ରଖିବାକୁ ଚାହୁଁଛି।

ରାଜନୈତିକ ସମୀକ୍ଷକ ତଥା ଏମଆଇଟି ଏଡିଟି ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ସମ୍ବିତ ପାଲ୍ କହିଛନ୍ତି, ଓଡିଶାରେ ବିଜେପିର ଭଲ ସ୍ଥିତି ରହିଛି ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିର ଉତ୍ତରାଧିକାରୀ ଭାବରେ ଦଳ ଏବେ ନିଜକୁ ବିବେଚନା କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସଫଳ ହୋଇଥିଲା। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସିଠାରୁ ହାରିଯିବା ପରେ ବେଙ୍ଗଲରେ ସମାନ ଲୋକସଭା ଆସନ ବଜାୟ ରଖିବାକୁ ଚାହୁଁଛି ବିଜେପି। ଅନ୍ୟପଟେ ଟିଏମସି ମଧ୍ୟ ପୂର୍ବ ଅପେକ୍ଷା ବିଜେପିକୁ ଅଧିକ ଗୁରୁତର ସହ ନେଇଥିବାରୁ ବିଜେପିକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।  ଆସାମରେ ବିଜେପି ଏକ ଭଲ ରହିଛି।

Comments are closed.