Latest Odisha News

BREAKING NEWS

ନଦୀର ନାମ ଗନ୍ଧବତୀ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ

ନଦୀର ନାମ ଗନ୍ଧବତୀ…

ସୁଦର୍ଶନ ଦାସ

ଗନ୍ଧବତୀ ନାମକ ଏକ ନଦୀକୁ ଓଡ଼ିଶାରେ ବହୁତ କମ୍ ଲୋକ ଜାଣନ୍ତି । ଉତ୍କଳ – କଳିଙ୍ଗ ସଭ୍ୟତା ଏକଦା ଗଢି ଉଠିଥିଲା ଏହି ନଦୀ କୂଳରେ । ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳଙ୍କର ସାମ୍ରାଜ୍ୟର ରାଜଧାନୀ ଭାବରେ ପରିଚିତ ଶିଶୁପାଳଗଡ଼ ଛିଡ଼ା ହୋଇଥିଲା ଏହି ନଦୀକୂଳରେ । ପଟିଆ ରାଜାଙ୍କର ଉଆସ ଏବଂ ତାଙ୍କର ଦୁର୍ଗ ସବୁ ଯଥା: ରସୁଲଗଡ଼, ବରଗଡ଼, ଗଡ଼ଗୋପୀନାଥପୁର, ଇତ୍ୟାଦି ଏହାରି କୂଳରେ ଏକଦା ମୁଣ୍ଡ ଟେକିଥିଲା । ମହାନଦୀ ଅବବାହିକାରେ ଏକ ନିଆରା ନଦୀ ହିସାବରେ ଏହା ଚନ୍ଦକା-ଡ଼ମପଡ଼ା ଅରଣ୍ୟରୁ ବାହାରି ଉତ୍ତର-ପୂର୍ବ ଏବଂ ପରେ ଦକ୍ଷିଣ-ପୂର୍ବ ଦିଗକୁ ପ୍ରବାହିତ ହେବା ସମୟରେ ଏହା ସହିତ ୯ଟି ପ୍ରାକୃତିକ ଝରଣା ମିଶିବା ପରେ ଏହା ଯାଇ ପଡ଼ିଥିଲଶ ଦୟା ନଦୀରେ । ମାତ୍ର ଆଜି ଏହି ନଦୀ ଇତିହାସର କଥାବସ୍ତୁ ହୋଇ ରହି ଯାଇଛି । ଗଙ୍ଗୁଆ ନାଳର ପରିଚୟ ନେଇ ଏହା କେବଳ ଗନ୍ଧବତୀ ନଦୀର ମୂକସାକ୍ଷୀ ହୋଇ ପଡ଼ିରହିଛି । ‘ଗନ୍ଧବତୀ’ ଯେମିତି ଅପଭ୍ରଂସ ହୋଇ ଗଙ୍ଗୁଆରେ ପରିଣତ ହୋଇଛି, ଠିକ୍ ସେହିପରି ଏହି ନଦୀଟି ସମୟକ୍ରମେ ଆମର ଅପରିଣାମଦର୍ଶୀ କାର୍ଯ୍ୟକଳାପ ପାଇଁ ଏକ ନାଳରେ ପରିଣତ ହୋଇ ସାରିଛି ।

ଡ଼ମପଡ଼ା-ଚନ୍ଦକା ବନାଞ୍ଚଳରୁ ବାହାରିବା ପରେ ଉତ୍ତର-ପୂର୍ବ ଦିଗକୁ ଏହା ପ୍ରବାହିତ ହୋଇ ନନ୍ଦନକାନନ, ପଟିଆ, କଳାରାହାଙ୍ଗ, ମଞ୍ଚେଶ୍ୱର, ଚକେଇସିଆଣି ଇତ୍ୟାଦିକୁ ଅତିକ୍ରମ କରି ୫ ନମ୍ବର ଜାତୀୟ ରାଜପଥକୁ ଛୁଇଁଛି । ତାପରଠୁ ଏହା ଦକ୍ଷିଣ-ପୂର୍ବ ଦିଗକୁ ପ୍ରବାହିତ ହୋଇଛି । ପାଣ୍ଡରା, ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ଼, ଶିଶୁପାଳଗଡ଼, ପୁରୁଣା ଭୁବନେଶ୍ୱର ଇତ୍ୟାଦି ସ୍ଥାନ ଅତିକ୍ରମ କରି ଏହା କାକୁଡ଼ିଆଠାରେ ଯାଇ ଦୟାନଦୀରେ ବିଲିନ ହୋଇଛି । ମହାନଦୀର ଅବବାହିକାରେ ପ୍ରବାହିତ ଏହି ଛୋଟ ନଦୀଟି ଦୟାନଦୀର ଏକ ଉପନଦୀ ଭାବରେ ପରିଗଣିତ । ମାତ୍ର କର୍ପୁର ଉଡ଼ିଯାଇ କନା ପଡ଼ି ରହିବା ଭଳି ଆଜି ଗନ୍ଧବତୀ ନଦୀର ଅବସ୍ଥା । ପଙ୍ଗୁଆ ନାଳର ନାମ ବହନ କରି ଏହା କେବଳ ଆଜି ପଡ଼ି ରହିଛି । ଭୁବନେଶ୍ୱର ନର୍ଦ୍ଦମା ପାଣିକୁ ବହିନେଇ ଦୟାରେ ପକାଇବା ପାଇଁ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆଉ ୯ଟି ପ୍ରାକୃତିକ ଝରଣା ବାହାରି ଏହି ଗଙ୍ଗୁଆ ନଦୀରେ ପଡ଼ି ଏହାକୁ ପରିପୂର୍ଣ୍ଣ କରି ରଖୁଥିଲା । ଏବେ ସେସବୁ ଝରଣା ଗୁଡ଼ିକ ମୃତପ୍ରାୟ । ସେଗୁଡ଼ିକ ମଧ୍ୟ ନର୍ଦ୍ଦମା ନାଳ ହୋଇ ସହରର ବର୍ଜ୍ୟ ପାଣି ନିଷ୍କାସନର ମାଧ୍ୟମ ପାଲଟିଛି ।

ଗଙ୍ଗୁଆ ଓ ଏହା ସହିତ ମିଶିଥିବା ଝରଣା ଗୁଡ଼ିକ ଏବେ କେବଳ ଅତିମାତ୍ରାରେ ପ୍ରଦୂଷିତ ନୁହଁନ୍ତି, ଏଗୁଡ଼ିକୁ ମଧ୍ୟ କଣ୍ଠରୋଧ କରାଯାଇଛି । ଜବର ଦଖଲର ଶୀକାର ହୋଇଛି ଗଙ୍ଗୁଆ । ଏହାର ଜମିକୁ ଦଖଲ କରି କୋଠା, ଆପାର୍ଟମେଣ୍ଟ, ରାସ୍ତା, କଳ-କାରଖାନା ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ଗଢିଉଠିଛି । ନଦୀଶଯ୍ୟାରେ ପୂର୍ବର ପ୍ରାକୃତିକ ଝରଣା ଗୁଡ଼ିକୁ ଏବେ କଂକ୍ରିଟ୍ ନାଳରେ ପରିଣତ କରାସରିଛି । ଏହି ଝରଣା ଗୁଡ଼ିକ ମଧ୍ୟ ଅବରୋଧର ଶୀକାର । ଜବରଦଖଲକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତିପାରି ନାହିଁ ଏଗୁଡ଼ିକ । ମୋଟ ଉପରେ କହିବାକୁ ଗଲେ ଗଙ୍ଗୁଆ ଆଜି ତା’ର ଅସ୍ତିତ୍ୱ ହରାଇ ସାରିଲାଣି ।

ପୂର୍ବରୁ ଗଙ୍ଗୁଆ ଏବଂ ଭୁବନେଶ୍ୱରର ପ୍ରାକୃତିକ ନାଳ ଗୁଡ଼ିକ ଏକଦା ଭୁବନେଶ୍ୱରର ଉବୁଟୁବୁ ବର୍ଷାଜଳ ନିଷ୍କାସନର ପ୍ରମୁଖ ମାଧ୍ୟମ ଥିଲା । ମାତ୍ର ଏବେ ସେଗୁଡ଼ିକ ଜଳ ନିଷ୍କାସନ ପାଇଁ ସକ୍ଷମ ନୁହଁ, ଯାହାର ପରିଣାମ ଏବେ ନିକଟରେ ଭୁବନେଶ୍ୱରବାସୀ ଦେଖିବାକୁ ପାଇଲେ । କୃତ୍ରିମ ବନ୍ୟାରେ ଉବୁଟୁବୁ ହେଲା ଭୁବନେଶ୍ୱର । ସହର ଭିତରେ ଡ଼ଙ୍ଗା ଚାଲିଲା । ଅଗ୍ନ୍ିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ଭାସି ଯାଉଥିବା ଲୋକଙ୍କୁ ଉଦ୍ଧାର କାମରେ ଲାଗିବାର ଦୃଶ୍ୟ ଅନେକଙ୍କ ଭିତରେ କୌତୁକ ମଧ୍ୟ ସୃଷ୍ଟି କରିଥିଲା । କେହି କେହି କହିଲେ ଏହା ଭୁବନେଶ୍ୱର ସ୍ମାର୍ଟ ସିଟି ନୁହେଁ, ବରଂ ଭୁବନେଶ୍ୱର ଲେକ୍ ସିଟି ବୋଲି କହିବା ଶ୍ରେୟ ହେବ । ଗଙ୍ଗୁଆ ପ୍ରତି ଅନ୍ୟାୟ ଏବଂ ହତାଦର ଏହାର କାରଣ ବୋଲି କହିଲେ ଆଦୌ ଭୂଲ୍ ହେବନାହିଁ । ବିଡ଼ିଏ ଓ ଜଳସମ୍ପଦ ବିଭାଗ, ବିଏମସି, ନଗର ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଇତ୍ୟାଦିଙ୍କ ଅବିବେକୀ ଏବଂ ଦୂରଦୃଷ୍ଟି ହୀନତା ପାଇଁ ଗଙ୍ଗୁଆର ଅବସ୍ଥା ଆଜି ଏଇୟା । ଆଉ ଭୁବନେଶ୍ୱରର ନଈବଢି ପାଇଁ ମଧ୍ୟ ସେହିମାନେ ଦାୟୀ ବୋଲି କହିବା ଅଯୌକ୍ତିକ ନୁହେଁ ।

ଭୁବନେଶ୍ୱର ହେଉଛି ଏକ ଐତିହ୍ୟ ସହର । ଏଠାକାର ଅନେକ ମନ୍ଦିର ଏହି ଐତିହ୍ୟର ମୁକସାକ୍ଷୀ । ମନୁଷ୍ୟକୃତ ଐତିହ୍ୟ ବ୍ୟତୀତ ଅନେକ ପ୍ରାକୃତିକ ଐତିହ୍ୟ ମଧ୍ୟ ଭୁବନେଶ୍ୱରକୁ ଏହାର ନାମକରଣ ପାଇଁ ଯଥାର୍ଥତା ବହନ କରିଥାଏ । ଅନେକ ପ୍ରାକୃତିକ ଐତିହ୍ୟ ଭିତରୁ ଗଙ୍ଗୁଆ ନଦୀ ଏକ ପ୍ରମୁଖ ପ୍ରାକୃତିକ ଐତିହ୍ୟ । ଭୁବନେଶ୍ୱରର ମାଟିତଳେ ଜଳର ସମ୍ଭାର ସୃଷ୍ଟି କରିବାର ସବୁଠୁ ବଡ଼ ଅବଦାନ ହେଉଛି ଗଙ୍ଗୁଆ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଝରଣା । ଗଙ୍ଗୁଆ ଏବଂ ଏହା ସହିତ ମିଶିଥିବା ଝରଣା ଗୁଡ଼ିକର ବର୍ତ୍ତମାନର ଦୂରାବସ୍ଥା ଯୋଗୁଁ ଭୁବନେଶ୍ୱରବାସୀ ଭୂତଳ ଜଳର ଅଭାବକୁ ଅଙ୍ଗେ ନିଭାଇବା ଆରମ୍ଭ କଲେଣି । ଏହି ପ୍ରାକୃତିକ ଐତିହ୍ୟକୁ ଯଦି ସୁରକ୍ଷା ଦିଆ ନଯାଏ, ଆଗାମୀ ଭବିଷ୍ୟତରେ ଭୁବନେଶ୍ୱର ଯେ ନିଶ୍ଚିତ ଗଭୀର ଜଳ ସଙ୍କଟର ସମ୍ମୁଖୀନ ହେବ ସେଥିରେ ଦ୍ୱିମତ ଆଦୌ ନାହିଁ । ଭୁବନେଶ୍ୱରକୁ ଜଳକଷ୍ଟ ଏବଂ ଜଳ ବହୁଳତାରୁ ରକ୍ଷା କରିବା ପାଇଁ ଗଙ୍ଗୁଆକୁ ପୁନରୁଦ୍ଧାର ଏକ ଜରୁରୀ ଆବଶ୍ୟକତା । ଏହାକୁ ସରକାର, ସରକାରୀ ବ୍ୟବସ୍ଥା ଏବଂ ନାଗରିକ ସମାଜ ହୃଦୟଙ୍ଗମ କରିବାର ସମୟ ଉପନୀତ । ଏବେଠୁ ସଜାଗ ନହେଲେ ପରିସ୍ଥିତି ଅସମ୍ଭାଳ ହେବା ନିଶ୍ଚିତ ।

ଭୁବନେଶ୍ୱରକୁ ମାଳି ଭଳି ଗୋଡ଼ାଇ ହୋଇ ବହିଥିବା ଗଙ୍ଗୁଆ ବା ଗନ୍ଧବତୀ ନଦୀପରି ହାଇଦ୍ରାବାଦ ସହର ଭିତରେ ସେହି ପରି ଏକ ନଦୀ ଅଛି ଯାହାର ନାମ ମୂଷୀ ନଦୀ । ଏହି ମୂଷୀ ନଦୀକୁ ଆଖି ଆଗରେ ରଖି ହାଇଦ୍ରାବାଦ ସହରକୁ ପ୍ରତିଷ୍ଠା କରିଥିଲେ ମହମ୍ମଦ କ୍ୱଲି କୁତବ୍ ଯାହା ୧୫୯୧ ମହିହାରେ । ପରବର୍ତ୍ତୀ ସମୟରେ ଏହି ହାଇଦ୍ରାବାଦ ଆନ୍ଧ୍ରପ୍ରଦେଶ ଏବଂ ପରେ ତେଲେଙ୍ଗାନାର ରାଜଧାନୀ ହେଲା । ଭୁବନେଶ୍ୱରର ପ୍ରାକୃତିକ ଐତିହ୍ୟ ଭାବରେ ଗଙ୍ଗୁଆ ଯେମିତି ପରିଗଣିତ ଠିକ୍ ସେହିପରି ଭୁବନେଶ୍ୱର ପାଇଁ ଜଳର ଉତ୍ସ ଏବଂ ଜଳ ନିଷ୍କାସନର ମାଧ୍ୟମ, ମୂଷୀ ନଦୀ ମଧ୍ୟ ସେହି ପରି ହାଇଦ୍ରାବାଦ ପାଇଁ ଗୁରୁତ୍ୱ ବହନ କରେ । ଆଉ କହିବା ବାହୁଲ୍ୟ ଯେ, ବର୍ତ୍ତମାନର ଗଙ୍ଗୁଆର ଅବସ୍ଥା ଯାହା ଠିକ୍ ସେହି ଭଳି ଅବସ୍ଥାକୁ ଚାଲିଯାଇଛି ମୂଷି ନଦୀ । ଏହା ଆଉ ନଦୀ ହୋଇ ନାହିଁ । ଗଙ୍ଗୁଆ ପରି ନାଳରେ ପରିଣତ ହୋଇଛି । ହାଇଦ୍ରାବାଦ ସହରର ବର୍ଜ୍ୟ ଏବଂ ନର୍ଦ୍ଦମା ପାଣିକୁ ନିଷ୍କାସନ ପାଇଁ ଏହାକୁ ବର୍ତ୍ତମାନ ବ୍ୟବହାର କରାଯାଉଛି ଠିକ୍ ଗଙ୍ଗୁଆକୁ ଆମେ ବ୍ୟବହାର କଲାଭଳି ।

କିନ୍ତୁ ଏବେ ଏକ ଆଶାର ଆଲୋକ ଦେଖା ଦେଇଛି ମୂଷୀ ନଦୀ କ୍ଷେତ୍ରରେ । ତେଲେଙ୍ଗାନା ସରକାର ମୂଷୀ ନଦୀକୁ ପୁନର୍ଜନ୍ମ ଦେବାପାଇଁ ଗତ ବର୍ଷେ ହେଲା ପ୍ରୟାସ ଆରମ୍ଭ କରିଛନ୍ତି । ଏହାକୁ ପୁନରୁଦ୍ଧାର କରିବାପାଇଁ ମୂଷୀ ନଦୀ ଉନ୍ନୟନ କର୍ପୋରେସନ ଗଠନ କରି ଏକ ବିଦ୍ଧିବଦ୍ଧ ସରକାରୀ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରିଛନ୍ତି । ମୂଷୀ ନଦୀକୁ ଜବରଦଖଲରୁ ମୁକ୍ତ କରିବା ସହିତ ନର୍ଦ୍ଦମା ପାଣିକୁ ବିଶୋଧନ କରି ଏହା ଭିତରକୁ ଛାଡ଼ିବା ପାଇଁ କଡ଼ା ଆଇନ୍ ପ୍ରଣୟନ କରିଛନ୍ତି । ଏହା ସହିତ ନଦୀର ଦୁଇ କୂଳରେ ବିସ୍ତିର୍ଣ୍ଣ ପାର୍କ, ସବୁଜ ବଳୟ, ନଦୀରେ ଜଳକ୍ରୀଡ଼ା ଆଦି ବିଭିନ୍ନ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି । ତେଲେଙ୍ଗାନା ସରକାରଙ୍କର ଏହା ଏକ ସମୟପୋଯୋଗି ପଦକ୍ଷେପ । ଏଭଳି ପଦକ୍ଷେପ ବୋଧେ ଦେଶରେ ନଦୀ ପୁନରୁଦ୍ଧାର କ୍ଷେତ୍ରରେ ପ୍ରଥମ ସରକାରୀ ପଦକ୍ଷେପ ।

ଗଙ୍ଗୁଆ କ୍ଷେତ୍ରରେ ଓଡ଼ିଶା ସରକାର ଏଭଳି ବଳିଷ୍ଠ ପଦକ୍ଷେପ ନେଇ ପାରିବେ କି? ଗତକିଛି ଦିନ ତଳେ ଭୁବନେଶ୍ୱର ମେୟର୍ ଗଙ୍ଗୁଆ ନଦୀ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଝରଣା ଗୁଡ଼ିକୁ ଜବର ଦଖଲ ଏବଂ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି । ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଏହା ଗଙ୍ଗୁଆକୁ ପୁନର୍ଜନ୍ମ ଦେବା କ୍ଷେତ୍ରରେ ଯଥେଷ୍ଟ ନୁହେଁ । ଗଙ୍ଗୁଆକୁ ପୁନରୁଦ୍ଧାର କରିବା ପାଇଁ ହାଇଦ୍ରାବାଦର ମୂଷୀ ନଦୀ ପରି ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ସହିତ ବିସ୍ତୃତ ଯୋଜନା ପ୍ରସ୍ତୁତ ହେବା ଦରକାର । ତା’ନହେଲେ ଘୋଷଣାର କୌଣସି ଅର୍ଥ ରହିବ ନାହିଁ । ଭୁବନେଶ୍ୱରରେ ନିକଟରେ ହୋଇଥିବା କୃତ୍ରିମ ବନ୍ୟା ବୋଧେ ସରକାରଙ୍କ ଭିତରେ ଚେତା ଆଣିଛି । ଚାଲନ୍ତୁ ଆଶା କରିବା ଏହି ଚେତା କିଛି ନିର୍ଦ୍ଦିଷ୍ଟ ପଦକ୍ଷେପକୁ ଜନ୍ମ ଦେବ ଆଉ ଆମେ ଆମର ପୁରୁଣା ପ୍ରାକୃତିକ ଐତିହ୍ୟ ଗନ୍ଧବତୀ ନଦୀକୁ ଫେରି ପାଇବା ।

(ଲେଖକ ସୁଦର୍ଶନ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର)

Comments are closed.