Latest Odisha News

BREAKING NEWS

ଚଳିତବର୍ଷ ହେବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ : ଚଳିତ ବର୍ଷ ପଡୁନାହିଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ। ମୁକ୍ତି ମଣ୍ଡପ ସଦସ୍ୟ ଓ ପାଞ୍ଜିକାରଙ୍କ ଗଣନା ଅନୁଯାୟୀ, ଚଳିତବର୍ଷ ନଭେମ୍ବର ମାସରେ ନଗାର୍ଜୁନ ବେଶ ପଡୁନାହିଁ। କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍‌ରେ ଏଭଳି ତଥ୍ୟ ଦେଇଛନ୍ତି। ଏଭଳି ବିଭ୍ରାନ୍ତି କର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଦସ୍ୟମାନେ ମତ ଦେଇଛନ୍ତି। ଶ୍ରୀମନ୍ଦିର ପଞ୍ଜିକାର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଚଳିତବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବ ପର୍ବାଣୀକୁ ଅନୁମୋଦନ ନେଇ ହୋଇଥିବା ବୈଠକ ପରେ ଏହି ମତ ପ୍ରକାଶ ପାଇଛି । ସେହିପରି କୋହିନୁର ଓ ରାଧାରମଣ ପଞ୍ଜିକା ଗଣନାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେଇଛି। ଉକ୍ତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି । ଗତବର୍ଷ ପରି ଚଳିତବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପଡ଼ୁଛି ବୋଲି କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ତେବେ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚଳିତବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁନଥିବା ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.