Latest Odisha News

ଭତ୍ତା ପାଇଁ ହଟହଟା: ଟ୍ରଲିରେ ବୁହାହେଲେ ବୃଦ୍ଧା

ପାରଳାଖେମୁଣ୍ଡି: ଡିବିଟି ବ୍ୟବସ୍ଥା ବନ୍ଦ କରି ପୁଣି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁ ହିତାଧିକାରୀ ଚାଲିବୁଲି ପାରୁନାହାନ୍ତି,  ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବାର ବ୍ୟବସ୍ଥା ମଧ୍ୟ  କରିଛନ୍ତି। ହେଲେ ଆଜି ଜଣେ ୯୫ ବର୍ଷର ବୃଦ୍ଧାଙ୍କୁ ଭତ୍ତା ପାଇବା ପାଇଁ ନାକେଦମ ହେବାକୁ ପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ।  ୧୨ ନମ୍ୱର ଓ୍ବାର୍ଡର ଲବଙ୍ଗ ଗୟାଙ୍କୁ ତିନିମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳିନଥିଲା। ଆଜି ତାଙ୍କ ସମ୍ପର୍କୀୟ ଏକ ଟ୍ରଲିରେ ତାଙ୍କୁ ବୋହି ପ୍ରଥମେ ବ୍ୟାଙ୍କ ଓ ପରେ ପୌରପାଳିକା କାର୍ଯ୍ୟାଳୟକୁ ଆଣିବା ପରେ ତାଙ୍କୁ ଭତ୍ତା ଟଙ୍କା ମିଳିଛି।

ବୟସାଧିକ କାରଣରୁ ଲବଙ୍ଗ ଏବେ ଚାଲିବାକୁ ଅକ୍ଷମ। ଫଳରେ ସେ ଭତ୍ତା ଆଣିବା ପାଇଁ ଆଉ ଯାଇପାରୁନାହାନ୍ତି। ସେ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବାରୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ହେଲେ କେହି କର୍ଣ୍ଣପାତ କରିନଥିଲେ ।  ତେଣୁ ଆଜି ତାଙ୍କୁ ଏକ ଟ୍ରଲିରେ ପ୍ରଥମେ ବ୍ୟାଙ୍କକୁ ନିଆଯାଇଥିଲା। ହେଲେ ବ୍ୟାଙ୍କ ତାଙ୍କୁ ପୌରପାଳିକାକୁ ପଠାଇ ଦେଇଥିଲେ। ପରେ ବୃଦ୍ଧାଙ୍କ ଝିଅ ଡାଳିମ୍ବ ବେଣିଆ ଟ୍ରଲିରେ ଲବଙ୍ଗଙ୍କୁ ବୋହି ନେଇ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଲବଙ୍ଗଙ୍କୁ ବକେୟା ଭତ୍ତା ଟଙ୍କା ମିଳିଥିଲା। ସେପଟେ ଘଟଣାକୁ ନେଇ  ପାରଳା ପୌରପାଳିକାର ନିର୍ବାହୀ ଅଧିକାରୀ  କହିଛନ୍ତି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନେବେ।

Leave A Reply

Your email address will not be published.