Latest Odisha News

BREAKING NEWS

ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ଦୁଇଟି ପର୍ଯ୍ୟାୟରେ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରୂପାନ୍ତରଣ ପ୍ରକ୍ରିୟା ସମ୍ପର୍କିତ ଏକ ଉପସ୍ଥାପନା ରଖାଯାଇଥିଲା।

ଏଥିରେ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳ ଏଥିରେ ସାମିଲ ହେବ ବୋଲି ସୂଚନା ମିଳିଛି। ନନ୍ଦନକାନନ କାୟାରେ ପରିବର୍ତ୍ତନ ପାଇଁ ବନ ବିଭାଗର ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏଥିସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିକାଶ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଯୋଜନାରେ ପରିଦର୍ଶକଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ବଗିଚା ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିୟମ୍‌, ୱାଟର ବାର୍ଡ ଆଭିଆରି, ଦେଶ ବିଦେଶରୁ ନୂତନ ପ୍ରାଣୀ, ଇମର୍ସିଭ୍ ଏନକ୍ଲୋଜର ଓ ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌ ଭାବେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି। ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଗତ ମେ ୨୩ରେ ଜଙ୍ଗଲ ବିଭାଗ ସମୀକ୍ଷା, ବେଳେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ବନ ବିଭାଗ ରପାନ୍ତରଣ ରୂପରେଖ ତିଆରି କରିଥିଲା।

ତେବେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୫ରୁ ୨୦୨୮ ମଧ୍ୟରେ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରି ସଫାରି ଓ ସଫାରି କଂପ୍ଲେକ୍ସର ବିକାଶ କରାଯିବ ବୋଲି ସୂଚନା ମିଳିଛି।

ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ନନ୍ଦନକାନନକୁ ଏକ ଆକର୍ଷଣୀୟ ହବ୍‌ ଭାବେ ବିକାଶ କରିବାକୁ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’, ‘ଜୁ ଆମ୍ବାସାଡର’ ପରି କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ‘ସି‌ଟିଜେନ୍‌ ସାଇନ୍ସ’, ‘ତୁମ ଗଛକୁ ଜାଣ’ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି।ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଇଣ୍ଟର୍ଣ୍ଣସିପ୍‌ ଓ ଜୁ ଭଲ୍ୟୁଣ୍ଟିଅର କାର୍ଯ୍ୟକ୍ରମ ହେବ।

ସୂଚନା ଥାଉକି, ବର୍ତ୍ତମାନ ନନ୍ଦନକାନନରେ ୪୮ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି ପ୍ରଜାତିର ସରୀସୃପ ରହିଛି। ସେହିପରି ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ମଧ୍ୟ ଅଛନ୍ତି। ସମୁଦାୟ ନନ୍ଦନକାନନରେ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ରହିଛନ୍ତି। ବର୍ତ୍ତମାନ ଦେଶବିଦେଶର ବିଭିନ୍ନ ସ୍ଥାନରୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି।

ଦେଶର ଉତ୍ତରପୂର୍ବ ଅଞ୍ଚଳରୁ ହୁଲକ୍ ଗିବନ୍, ଲାଞ୍ଜ ଥିବା ଘୁଷୁରି, ଗୋଟିଏ ଶିଙ୍ଗ ବିଶିଷ୍ଟ ଗଧ, ଏସିଆର ଲମ୍ବା ଲାଞ୍ଜ ବିଶିଷ୍ଟ ମାଙ୍କଡ଼, କ୍ଲାଉଡେଡ୍‌ ଚିତାବାଘ ଏବଂ ଅଷ୍ଟ୍ରେଲିଆରୁ କାସୋୱାରି, କଙ୍ଗାରୁ, ୱାଲବି ଆଦି ଆଣିବାର ପ୍ରସ୍ତାବ ରହିଛି।

ଗତକାଲି ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୈଠକରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ନନ୍ଦନକାନନ ନିର୍ଦ୍ଦେଶକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ।

 

Comments are closed.