Latest Odisha News

ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଏବଂ ଅନେକ ପକ୍ଷୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଦେଶରୁ ଏକ ଯୋଡ଼ା ଚିତା, ବିଦେଶୀ ଧଳା ସିଂହ ଓ ଅନ୍ୟାନ୍ୟ ଆକର୍ଷଣୀୟ ପ୍ରାଣୀ ଆସିବେ।

ଚିଡ଼ିଆଖାନା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ସଫାରି ପାର୍କ ସହିତ ଏକ ପଶୁ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ବିବିଧ ସଂଗ୍ରହରେ ଏହି ନୂତନ ସଂଯୋଜନ ଆଣିବା ପାଇଁ ପଦକ୍ଷେପ ନେଇଛି । ଜାନୁଆରୀରେ ଏହି ଯୋଡ଼ା ଚିତା ଓ କିଛି ଧଳା ସିଂହ ନନ୍ଦନକାନନ ଅଭିମୁଖେ ଆସିବେ।

ଏହି ସୂଚନା ଦେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଅଧୀନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଦେଶରୁ କିଛି ନୂଆ ପ୍ରଜାତିର ପକ୍ଷୀ ଅଧିଗ୍ରହଣ କରିବ।

ଚିଡ଼ିଆଖାନାର ପଶୁ ପକ୍ଷୀଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଏହାବ୍ୟତୀତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଶ୍ଚିମବଙ୍ଗର ଅଲିପୁର ପ୍ରାଣୀ ଉଦ୍ୟାନରୁ ଜିରାଫ ଆଣିବାକୁ ଯୋଜନା କରିଛି।

ଦୁବାଇ ସଫାରି ପାର୍କ ସହିତ ପଶୁ ବିନିମୟର ଏକ ଅଂଶ ଭାବରେ, ନନ୍ଦନକାନନ କର୍ତୃପକ୍ଷ ଚିତା ଏବଂ ଧଳା ସିଂହ ବଦଳରେ ପାଞ୍ଚଟି ମଣିପୁର ହରିଣ ପ୍ରଦାନ କରିବ। ଏହାବ୍ୟତୀତ ଧଳା ସିଂହମାନଙ୍କ ପାଇଁ ୫ଟି କଳା ହରିଣ ବିନିମୟ କରାଯିବ।

ନନ୍ଦନକାନନ ଚିଡ଼ିଆଖାନାରେ ଏହି ନୂତନ ପ୍ରାଣୀଙ୍କ ଆଗମନ ପର୍ଯ୍ୟଟକଙ୍କୁ ଆନନ୍ଦିତ କରିବା ସହ ଏହି ଉଲ୍ଲେଖନୀୟ ପ୍ରଜାତିର ସଂରକ୍ଷଣରେ ସହାୟକ ହେବା ସୁନିଶ୍ଚିତ କରିବ।

Comments are closed.