ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍ ଅଧିକାରୀ ନନ୍ଦିନୀ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ନିଯୁକ୍ତ। ବୁଧବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟ ନବାନ୍ନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।
ବିଦାୟୀ ମୁଖ୍ୟ ସଚିବ ମନୋଜ ପନ୍ତଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରିନ୍ସିପାଲ୍ ସେକ୍ରେଟାରୀ ଭାବେ ନିଯୁକ୍ତ କରାଯାଇଛି। ତେବେ ଏପର୍ଯ୍ୟନ୍ତ ନନ୍ଦିନୀ ଚକ୍ରବର୍ତ୍ତୀ ଗୃହ ଏବଂ ପର୍ଯ୍ୟଟନ ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଥିଲେ।
ନନ୍ଦିନୀ ଚକ୍ରବର୍ତ୍ତୀଙ୍କ ପାଖରେ ଥିବା ସମସ୍ତ ତିନୋଟି ବିଭାଗର ଦାୟିତ୍ୱ ଜଗଦୀଶ ପ୍ରସାଦ ମୀନାଙ୍କୁ ଦିଆଯାଇଛି। ନନ୍ଦିନୀ ଚକ୍ରବର୍ତ୍ତୀ ଜାନୁଆରୀ ୧ରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିବେ ଏବଂ ଜଗଦୀଶ ପ୍ରସାଦ ମୀନା ଗୃହ ସଚିବ ପଦ ଗ୍ରହଣ କରିବେ।
ତେବେ ବିଦାୟୀ ମୁଖ୍ୟ ସଚିବ ମନୋଜ ପନ୍ତଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ ୩୦ରେ ଶେଷ ହେବାର ଥିଲା। ପରେ କେନ୍ଦ୍ର ସରକାର ସେହି କାର୍ଯ୍ୟକାଳକୁ ଛଅ ମାସ ଯାଏଁ ବୃଦ୍ଧି କରିଥିଲେ। ଛଅ ମାସର କାର୍ଯ୍ୟକାଳ ବୁଧବାର ଡିସେମ୍ବର ୩୧ ରେ ଶେଷ ହେଉଛି।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ମଧ୍ୟ ପୂର୍ବରୁ ଜଣେ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ତଥା ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ନେଲେ ଦାୟିତ୍ବ।