Latest Odisha News

ଇଞ୍ଜିନିୟର ଦିବସ ଓ ସାର୍ ବିଶ୍ବେଶ୍ବରାୟ

ଭୁବନେଶ୍ଵର: ଇଞ୍ଜିନିୟରିଂ ହେଉଛି ଏପରି ଏକ ବୃତ୍ତି ଯେଉଁଥିରେ ବିଜ୍ଞାନର ଜ୍ଞାନ ଏବଂ ଗଣିତର କୌଶଳ ବ୍ୟବହୃତ ହୁଏ । ଯାହା ମାନବଜାତି ପାଇଁ ଲାଭଦାୟକ ହୋଇଥାଏ । ବିଭିନ୍ନ କାରଣରୁ ଏହା ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ହୋଇଥାଏ । ଭବିଷ୍ୟତରେ ଇଞ୍ଜିନିୟର ମାନେ କିପରି ଭାବେ ସମାଜ ପାଇଁ ଏକ ପରିବର୍ତ୍ତନ ଆଣି ପାରିବେ ତାହା ହୁଏତ କେହି ଜାଣି ନାହାଁନ୍ତି । ଯଦିଓ ଇଞ୍ଜିନିୟରମାନେ କରୁଥିବା କାର୍ଯ୍ୟକୁ ଅଣଦେଖା କରିବା ସହଜ, କିନ୍ତୁ ଏକ ସୁନ୍ଦର ଓ ପରିକଳ୍ପିତ ସମାଜ ଗଠନରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସେପ୍ଟେମ୍ବର ୧୫ ତାରିଖ ଭାରତବର୍ଷର ପ୍ରତ୍ୟେକ ଇଞ୍ଜିନିୟରଙ୍କ ପାଇଁ ଗୌରବ ଓ ପ୍ରେରଣାର ଦିବସ । ଭାରତ ଜନ୍ମିତ ତଥା ଭାରତ ରତ୍ନରେ ସମ୍ମାନିତ ବିଶିଷ୍ଟ ଇଞ୍ଜିନିୟର ଏମ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନକୁ “ଇଞ୍ଜିନିୟର ଦିବସ” ଭାବେ ପାଳନ କରାଯାଏ । ଯିଏ ଦିନେ ରେଳରେ ବସି ରେଳ ଧାରଣାର ଫାଟକୁ ଠାବ କରିପାରିଥିଲେ । ଇଞ୍ଜିନିୟର ସାର ଶ୍ରୀ ବିଶେଶ୍ୱରାୟ ୧୮୬୧ମସିହା ସେପ୍ଟେମ୍ବର ୧୫ ତାରିଖରେ ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ବିଶ୍ୱେଶ୍ୱରୈୟା ମାଡ୍ରାସ ବିଶ୍ୱବିଦ୍ୟାଳୟରେ କଳା କ୍ଷେତ୍ରରେ ସ୍ନାତକ କରିଥିଲେ । ପରେ ସେ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ସ୍ଥିର କଲେ । ଅଧ୍ୟୟନର ଷ୍ଟ୍ରିମରେ ୩୬୦ ଡିଗ୍ରୀ ମୋଡ଼ ନେଇଥିବା ବିଶ୍ୱେଶ୍ୱରାୟ ପୁନେ ବିଜ୍ଞାନ ମହାବିଦ୍ୟାଳୟରେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ସାର୍ ଏମ୍.ଭି ଭାବରେ ଜଣାଶୁଣା ବିଶ୍ୱେଶ୍ୱରୈୟା ବହୁ ଜଟିଳ ପ୍ରକଳ୍ପ ଆରମ୍ଭ କରିଥିଲେ । ସେ ତାଙ୍କ ଇଞ୍ଜିନିୟରିଂ କ୍ୟାରିଅରରେ ଭାରତରେ ଭିତ୍ତିଭୂମି ବିକାଶ ଉପରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିଲେ । ଖାଦ୍ୟ ଯୋଗାଣ ସ୍ତର ଏବଂ ସଂରକ୍ଷଣକୁ ‘ବ୍ଲକ୍ ସିଷ୍ଟମ୍’ କୁହାଯାଏ । ଏହା ପଛରେ ତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସେ ସିନ୍ଧୁନଦୀରେ ସୁକୁର ବ୍ୟାରେଜ ନିର୍ମାଣ କରି ସୁକୁର ସହରକୁ ସ୍ଥାନୀୟ ଜଳଯୋଗାଣ ବ୍ୟବସ୍ଥା କରିଥିଲେ । ଏଥିସହ ପୁନେରେ ବ୍ୟାପକ ଜଳସେଚନ ଯୋଜନା କାର୍ଯ୍ୟକାରୀ ମଧ୍ୟ କରିଥିଲେ ସେ । ସେ ସ୍ବତନ୍ତ୍ର ସ୍ବୟଂଚାଳିତ ଗେଟ୍ ନିର୍ମାଣ କରିଥିଲେ, ଯାହା ବିଶ୍ବେଶ୍ବରାୟା ଗେଟ୍ ନାମରେ ସୁବିଦିତ । ଓଡିଶାକୁ ମଧ୍ୟ ତାଙ୍କର ଅବଦାନ ବହୁ ଉପରେ । ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ହୀରାକୁଦ ବନ୍ଧଯୋଜନା ପାଇଁ ସେ ପ୍ରଥମେ ପରାମର୍ଶ ଦେଇଥିଲେ। ୧୯୩୭ ମସିହାରେ ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ ସେ ହୀରାକୁଦ ବନ୍ଧର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ।

ତେବେ ଭାରତ ବ୍ୟତୀତ ଇଞ୍ଜିନିୟର ଦିବସ ଅନ୍ୟ ଦେଶରେ ମଧ୍ୟ ଇଞ୍ଜିନିୟର୍ ମାନଙ୍କୁ ସମ୍ମାନିତ କରାଯାଏ, କିନ୍ତୁ ଏହା ବିଭିନ୍ନ ଦେଶରେ ବିଭିନ୍ନ ତାରିଖରେ ପାଳନ କରାଯାଏ । ଭାରତରେ ଏହି ଦିନ ୧୫ ସେପ୍ଟେମ୍ବରରେ ପାଳନ କରାଯାଉଥିବାବେଳେ ଏହାର ପଡୋଶୀ ଦେଶ ବାଂଲାଦେଶରେ ଏହା ପ୍ରତିବର୍ଷ ୭ ମେ, ଇଟାଲୀ ୧୫ ଜୁନ୍‌, ଇରାନ ୨୪ ଫେବୃଆରୀ, ରୋମାନିଆ ୧୪ ସେପ୍ଟେମ୍ବରରେ, ବେଲଜିୟମ ୨୦ ମାର୍ଚ୍ଚରେ ପାଳନ କରାଯାଏ ।

Comments are closed.