Latest Odisha News

BREAKING NEWS

ନ୍ୟାସନାଲ ହେରାଲ୍ଡ ମାମଲାରେ ମୋତିଲାଲ ଆର୍ଥିକ କାରବାର ସମ୍ଭାଳୁଥିବାର ପ୍ରମାଣ ନାହିଁ !

ନୂଆଦିଲ୍ଲୀ: ନ୍ୟାସନଲ ହେରାଲ୍ଡ ମାମଲାରେ ଇଡି ‘ହାୱାଲା କାରବାର’ ର ଲିଙ୍କ ପାଇଛି ବୋଲି ଜଣାପଡିଛି। ଏହାର ଦିନକ ପରେ ଏହି ମାମଲାରେ ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରା ଆର୍ଥିକ କାରବାରରରେ ସଂପୃକ୍ତି ଥିବା ନେଇ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଜେରା ବେଳେ ଇଡିକୁ ଯେଉଁ ସୂଚନା ଦେଇଛନ୍ତି ତାହାର କୌଣସି ପ୍ରମାଣ ମିଳିନି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ମୋତିଲାଲ ଭୋରା ଦୀର୍ଘ ସମୟ ଧରି କଂଗ୍ରେସ ଦଳର କୋଷାଧ୍ୟକ୍ଷ ଥିଲେ। ୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ଆର୍ଥିକ କାରବାର ସଂପର୍କରେ ଇଡି ଦ୍ୱାରା ପଚରାଉଚରା କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ସମସ୍ତ କାରବାର ମୋତିଲାଲ ଭୋରା ଦ୍ୱାରା ପରିଚାଳିତ ହୋଇଥିଲା। ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଏବଂ ପବନ ବଂଶଲ ଇଡି ସାମ୍ନାରେ ମୋତିଲାଲ ଭୋରାଙ୍କ ନା କହିଛନ୍ତି। ତେବେ ଏହି ସମସ୍ତ ନେତା ପ୍ରମାଣ ଭାବରେ କୈଣସି ଡକ୍ୟୁମେଣ୍ଟ ଦେଇ ନାହାନ୍ତି। ତେବେ ମୋତିଲାଲଙ୍କ ପୁଅ କିନ୍ତୁ ରାହୁଲ ଏବଂ ସୋନିଆ ତାଙ୍କ ବାପାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଥିଲେ ତାକୁ ଖାରଜ କରିଥିଲେ।

ରିପୋର୍ଟ ଅନୁଯାୟୀ, ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ଇଡି ଅନେକ ସେଲ କମ୍ପାନୀ ବିଷୟରେ ଜାଣିବାକୁ ପାଇଛି ଯାହା ୟଙ୍ଗ ଇଣ୍ଡିଆନ୍ସ ସହିତ କାରବାର ପାଇଁ ବ୍ୟବହୃତ ହୋଇଥିଲା। ଏପର୍ଯ୍ୟନ୍ତ, କୋଲକାତା ଭିତ୍ତିକ ଡୋଟେକ୍ସ ମର୍ଚାଣ୍ଡାଇଜ୍ ନାମ ସର୍ବସାଧାରଣ ଡୋମେନରେ ରହିଛି । ଏହା ବ୍ୟତୀତ ଆହୁରି ଅନେକ ସେଲ କମ୍ପାନୀ ଚିହ୍ନଟ କରାଯାଇଛି ଯାହା ହାୱାଲା କାରବାରରେ ଜଡିତ ଅଛି।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ୧୯୩୮ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏହି ଖବରକାଗଜ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଦ୍ୱାରା ପ୍ରକାଶିତ ହୋଇଥିଲା। ଧୀରେ ଧୀରେ ଖବରକାଗଜର ବିକ୍ରି ହ୍ରାସ ପାଇଲା। ପରେ ୨୦୦୮ ମସିହାରେ ୯୦ କୋଟି ଋଣ ସହିତ ଏଜେଏଲ ବନ୍ଦ ହୋଇଯାଇଥିଲା। କିଛି ଦିନ ପରେ କଂଗ୍ରେସ ଏକ ନୂଆ କମ୍ପାନୀ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍ ତିଆରି କଲା। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ କମ୍ପାନୀର ୭୬ ପ୍ରତିଶତ ଅଂଶଧନ ରଖିଥିଲେ ଏହି ନୂଆ କମ୍ପାନୀରେ। କଂଗ୍ରେସ ଏହି କମ୍ପାନୀକୁ ୯୦ କୋଟି ଟଙ୍କା ମୂଲ୍ୟର ଏଜେଏଲ ସେୟାର ଦେଇଛି। ଏହା ପରେ କଂଗ୍ରେସ ମଧ୍ୟ ୯୦ କୋଟି ଋଣ ଛାଡ କରିଛି। ୟଙ୍ଗ ଇଣ୍ଡିଆ କୌଣସି ଟଙ୍କା ଖର୍ଚ୍ଚ ନକରି ଏଜେଏଲର ମାଲିକାନା ପାଇଲା। ମୋତିଲାଲ ଭୋରା ସେତେବେଳେ କଂଗ୍ରେସର କୋଷାଧ୍ୟକ୍ଷ ଥିଲେ ଏବଂ ଏଜେଏଲ ସମ୍ବନ୍ଧୀୟ ପ୍ରସଙ୍ଗରେ ସେ ସକ୍ରିୟ ଥିଲେ। ଜାନୁଆରୀ ୨୦୦୮ ରେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ବନ୍ଦ କରିବାକୁ ସେ ଏଜେଏଲର ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିଲେ।

କଂଗ୍ରେସ ନେତାଙ୍କ ବିରୋଧରେ ୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ରାଏଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। କୁହାଯାଇଥିଲା ଯେ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଜାଲିଆତି କରି ଅଧିଗ୍ରହଣ କରିଥିଲା। ସେ କହିଥିଲେ ଯେ ଦିଲ୍ଲୀର ହେରାଲ୍ଡ ହାଉସର କୋଠାକୁ ୨ ହଜାର କୋଟି ଟଙ୍କା କବଜା କରିବା ପାଇଁ ଏସବୁ କରାଯାଇଛି।

ଏବେ ଇଡି ଏହି ମାମଲାରେ ଅର୍ଥ ହେରଫେର ଘଟଣାର ତଦନ୍ତ କରୁଛି। କଂଗ୍ରେସ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେରା କରିଛି। କଂଗ୍ରେସ ନେତାମାନେ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି।

Leave A Reply

Your email address will not be published.