ଗରମ ଡାଲିରେ ପଡି ପ୍ରାଣ ହରାଇଥିବା ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ବାଲିଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଗରମ ଡାଲି ହାଣ୍ଡିରେ ପଡି ନାବାଳିକା ଛାତ୍ରୀର ମୃତ୍ୟୁ କୁ ନେଇ ଜାତୀୟ ମାନବାଧିକାର କମିଶନ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅଧିକାର କର୍ମୀ ରାଧାକାନ୍ତ ତ୍ରୀପାଡୀଙ୍କ ପିଟିସନକୁ ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅକ୍ଟୋବର ୧୫ ତାରିଖ ସୁଦ୍ଧା ପ୍ରଦତ୍ତ ଅର୍ଥରାଶିର ସପ୍ରମାଣ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁଚନାଯୋଗ୍ୟ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ବାଲିଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ବାସନ୍ତୀ ବାରିକ ୨୦୧୪ ନଭେମ୍ବର ୨୧ ତାରଖ ଦିନ ମଧ୍ୟାହ୍ନ ଭୋଜନ ଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ ଛାତ୍ରୀ ଜଣକ ଚେତା ଶୂନ୍ୟ ହୋଇ ଗରମ ଡାଲି ହାଣ୍ଡିରେ ପଡି ଯାଇଥିଲେ । ଗରମ ଡାଲି ହାଣ୍ଡରେ ପଡି ଛାତ୍ରୀ ଜଣକ ପୋଡି ହୋଇ ଯାଇ ମୃତବରଣ କରିଥିଲେ ।
ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କରିଥିବା ଜଣାଇଥିଲେ । କାରଣ ଓ ପରିସ୍ଥିତିକୁ ବିଚାରକୁ ନେଇ ସରକାର ପ୍ରଦାନ କରିଥିବା ଅର୍ଥ ରାଶି ଯଥେଷ୍ଟ ନୁହେଁ ବୋଲି ଜାତୀୟ ମାନାବାଧିକାର କମିଶନ ଅନୁକମ୍ପାମୁଳକ ଅର୍ଥ ବାବଦରେ ଆଉ ୨ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ।
Comments are closed.