Latest Odisha News

BREAKING NEWS

ରାୟଗଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ : ଅନୁପସ୍ଥିତ ପରେ ଜାରି ହୋଇପାରେ ଓ୍ବାରେଣ୍ଟ୍

ରାୟଗଡ଼ା:  ଜାତୀୟ ଜନଜାତି କମିସନଙ୍କ ନୋଟିସ ସତ୍ଵେ ହାଜର ନହେବା ମହଙ୍ଗା ପଡିପାରେ ରାୟଗଡ଼ା ଜିଲ୍ଲାପାଳଙ୍କୁ । ସୂଚନା ଅନୁସାରେ ଉତ୍କଳ ଆଲୁମିନା କାରଖାନା ନିକଟରେ ଥିବା ଡିମୁଣ୍ଡି ଗ୍ରାମବାସୀଙ୍କ ଏକ ପିଟିସନର ଶୁଣାଣି ପାଇଁ ଜାତୀୟ ଜନଜାତି କମିସନ ରାୟଗଡ଼ା ଜିଲ୍ଲାପାଳଙ୍କୁ ସମନ ଜାରି କରିଥିଲେ । ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଜାତୀୟ ଜନଜାତି କମିସନ ୩ଥର ଜିଲ୍ଲାପାଳ , କମ୍ପାନୀ ସିଇଓ , ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ସମନ ସତ୍ତ୍ବେ କମିସନଙ୍କ କାର୍ଯ୍ୟାଳୟରେ ହାଜର ନ ହେବା ନେଇ କମିସନ ସଦସ୍ୟ ଅନନ୍ତ ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫଳରେ ରାୟଗଡ଼ା ଜିଲ୍ଲାପାଳଙ୍କ ବିରୋଧରେ ୱାରେଣ୍ଟ୍ ଜାରି ହେବା ନେଇ ଆଶଙ୍କା ରହିଛି ।

ଉତ୍କଳ ଆଲୁମିନା ନିର୍ମାଣ ସମୟରେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ ଡିମୁଣ୍ଡି ଗ୍ରାମବାସୀ । ଫଳରେ କମ୍ପାନି ଦିପୁଣ୍ଡୀ ଗାଁର ଜମି ନ ନେଇ ଗାଁକୁ ଲାଗି ଲାଗି ପାଚେରି ନିର୍ମାଣ କରିଥିଲା । ତେବେ ଦିମୁଣ୍ଡିଆ ନିକଟ ଦେଇ କମ୍ପାନି କନଭର ବେଲ୍ଟ ମାଧ୍ୟମରେ ବକ୍ସାଇଟ୍ ପରିବହନ ହେଉଥିବାରୁ ସବୁବେଳେ ଧୂଳି, ଧୂଆଁର ପ୍ରଦୂଷଣ ସୃଷ୍ଟି ହେଉଛି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ନ ଶୁଣିବା ଫଳରେ ଶେଷରେ ଗ୍ରାମବାସୀ ଜନଜାତି କମିସନଙ୍କ ନିକଟରେ ହାଜର ହୋଇଥିଲେ । ପରେ କମିସନ ଜୁଲାଇ ୧୯ ତାରିଖରେ ଏ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କୁ ଦିଲ୍ଲୀରେ ଥିବା କମିସନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ପ୍ରଥମ ନୋଟିସ ଜାରି କରିଥିଲେ । କିନ୍ତୁ ପ୍ରଥମ ନୋଟିସରେ ଜିଲ୍ଲାପାଳ ନ ଯିବା ପରେ ଦ୍ବିତୀୟ ନୋଟିସ ଅଗଷ୍ଟ ୫ ତାରିଖରେ ଏବଂ ତୃତୀୟ ନୋଟିସ ଅକ୍ଟୋବର ୧୮ ତାରିଖରେ ରାୟଗଡ଼ା ଜିଲ୍ଲାପାଳଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଏବଂ ଉତ୍କଳ ଆଲୁମିନା ସିଇଓଙ୍କୁ ଜାରି ହୋଇଥିଲା ।

ହେଲେ ତିନି ତିନୋଟି ନୋଟିସ ସତ୍ବେ କେହି ବି ହାଜର ହୋଇନଥିବା ବେଳେ ଉତ୍କଳ ଆଲୁମିନା ପକ୍ଷରୁ ଜଣେ ଓକିଲଙ୍କ ମାଧ୍ୟମରେ କମିସନଙ୍କ ନିକଟରେ ନିଜ ପକ୍ଷ ରଖିଥିଲେ ସୁଧା କମିସନ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଗତ ୧୧ ତାରିଖ ଦିନ ଡିମୁଣ୍ଡି ଗ୍ରାମର ୧୨ଜଣ ସଦସ୍ୟ ଜାତୀୟ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ସାକ୍ଷାତ କରି ପୁଣି ସମସ୍ୟା ସଂପର୍କରେ ଅବଗତ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଉପରେ କମିସନ ସଦସ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ସମନକୁ ବାରମ୍ବାର ଅଣଦେଖା କରିଥିବା ରାୟଗଡ଼ା ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Comments are closed.