Latest Odisha News

ଉତ୍ତର ଓଡିଶା ସୁଦୃଢ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି  ଚିଠି ଲେଖିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ  । ଚିଠିରେ ଉତ୍ତର ଓଡ଼ିଶାବାସୀଙ୍କ ହିତଦୃଷ୍ଟିରୁ ଏହା ଏକ ସମୟ ଉପଯୋଗୀ ପଦକ୍ଷେପ ବୋଲି କହିଛନ୍ତି ନବଜ୍ୟୋତି । ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଯଥାଶ୍ରୀଘ୍ର ଉତ୍ତର ଓଡ଼ିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଗଲେ ରାଜ୍ୟରେ ସମତୁଲ ବିକାଶ ସମ୍ଭବ ହେବା ସହ ପଛୁଆ ରହିଯାଇଥିବା ଅଞ୍ଚଳ ଗୁଡ଼ିକର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ନବଜ୍ୟୋତି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଖଣି ଖାଦାନରେ ଭରପୁର ଉତ୍ତର ଓଡ଼ିଶା ରାଜ୍ୟ ରାଜକୋଷକୁ ସିଂହଭାଗ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ପଛୁଆ । ତେଣୁ ଉତ୍ତର ଓଡିଶାରେ ବିକାଶ ପରିଷଦ ଗଠନ ହେଲେ  ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାବାସୀ ମୌଳିକ ସୁବିଧା ପାଇପାରିବେ । ଦାଦନ ସମସ୍ୟାକୁ ମଧ୍ୟ ରୋକାଯାଇପାରିବ ।

ରାଜ୍ୟର ପଛୁଆ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ଶାସନକାଳରେ ୧୧ ନଭେମ୍ବର ୧୯୯୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ନିଷ୍ପତି ହୋଇଥିଲା । ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଆଦି ୫ଟି ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ପୂର୍ବରୁ ଦାବି ମଧ୍ୟ ରହିଆସିଛି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମଧ୍ୟ ଲେଖାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଠନ ହେବା ପରେ ସମତୁଲ ବିକାଶ ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ସ୍ଥାପନ ନିମନ୍ତେ ଏକ ଟାସ୍କଫୋର୍ସ ଗଠନର ନିଷ୍ପତ୍ତି ହୋଇଛି । ଯାହା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ।

ଏହା ସହିତ ବିକାଶ ପରିଷଦକୁ ଆହୁରି ସୁଦୃଢ କରିବା ପାଇଁ  ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସେଗୁଡିକ ମଧ୍ୟରେ, ପ୍ରଶାସନିକ ଦୃଷ୍ଟିରୁ ସୁବିଧା ପାଇଁ ବାଲେଶ୍ୱର ଠାରେ ପରିଷଦର ମୁଖ୍ୟାଳୟ ସ୍ଥାପନ, ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ସ୍ଥାପନ, ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ ଏବଂ ଆଗାମୀ ବିଧାନସଭା ଅଧିବେଶନରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବିଧେୟକକୁ ପାରିତ କରିବା ପ୍ରସ୍ତାବ ରହିଛି । ଏଥିସହ ରାଜ୍ୟ ବଜେଟର ସମୁଦାୟ ଯୋଜନା ବ୍ୟୟର ୨୦ ପ୍ରତିଶତ ଉତ୍ତର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଖର୍ଚ୍ଚ କରିବାକୁ  ଦାବି ରଖିଛନ୍ତି ନବଜ୍ୟୋତି ।

Leave A Reply

Your email address will not be published.