Latest Odisha News

BREAKING NEWS

ବିପର୍ଯ୍ୟୟ ପରିଚାଳନାରେ ଆମ ନୀତି; ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

  • ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
  • ସମ୍ଭାବ୍ୟ ବନ୍ୟା, ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
  • ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ଵ
  • ସମସ୍ତେ ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ

‘ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ ସବୁ ଜୀବନ ମୂଲ୍ୟବାନ’। ଏହା ସହିତ ସରକାରଙ୍କ ସବୁ ବିଭାଗ ସମ୍ମନ୍ଵିତ ଭାବେ କାମ କରିବାର ଆଭିମୁଖ୍ୟରେ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ ହେଉଛି ‘ ବିପର୍ଯ୍ୟୟ ବେଳେ ଯେମିତି ଜୀବନ ହାନୀ ହେବନାହିଁ; ତାହା ସରକାରଙ୍କ ଆଭିମୁଖ୍ୟ ବୋଲି ନବୀନ ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି।

ଭୁବନେଶ୍ଵର: ‘ଓଡିଶା ହେଉଛି ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍‌ନା କରିଆସୁଛୁ । ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟ ର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି’ । ୨୦୨୦-୨୧ରେ ରାଜ୍ୟ ମହାବାତ୍ୟା ଅମ୍ଫନ ଓ ବାତ୍ୟା ୟସ୍‌ର ସାମ୍‌ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି ଓ ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ।

ବର୍ତ୍ତମାନ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସମୟ। ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍‌ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରାକ୍‌ ସୂଚନାର ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ଵାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ। ବିପଦସଂକୁଳ ଓ ଅଗମ୍ୟ ଅଂଚଳରେ ଯଥେଷ୍ଟ ପରିମାଣରେ ଖାଦ୍ୟ ପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ କରି ରଖିବା ଜରୁରୀ। ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ଵ ଦେବା ସହ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସବୁ ଜିଲ୍ଲା ଓ ସଂପୃକ୍ତ ବିଭାଗ ଗୁଡିକରେ କଣ୍ଟ୍ରୋଲ ରୁମ୍‌ ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ମହିଳା ଓ ବୟୋଜ୍ୟେଷ୍ଠ ଲୋକଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ରିଲିଫ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସଂପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସବୁ ବିଷୟ ଗୁଡିକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର। ଏହି ଆଭିମୁଖ୍ୟ ନେଇ ଠିକ୍‌ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳାରେ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ଵ ଦେଇଛନ୍ତି। ଏହି ଅବସରରେ ବିପର୍ଯ୍ୟୟ ପରିଚାଳନାର ପାଠ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷା ବିଭାଗ କର୍ମଚାରୀ, ସମସ୍ତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ପ୍ରଶିକ୍ଷଣ ନେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇଦେଇଥିଲେ।

ଆଜିର ଏହି ବୈଠକରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବିଧାୟକ ଶ୍ରୀ ନରସିଂହ ମିଶ୍ର,ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେଓ, ବିଧାୟକ ଶ୍ରୀ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ମତ ପ୍ରକାଶ କରିଥିଲେ। ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ପ୍ରାରମ୍ଭିକ ଭାଷଣରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ ,ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.