Latest Odisha News

BREAKING NEWS

ଗୁଜୁରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ପାଇଁ ବାହାର ରାଜ୍ୟରେ ଫଶି ରହିଛନ୍ତି ଅନେକ ଓଡିଆ ଶ୍ରମିକ । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରବିବାର ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଭୟ ଗୁଜରାଟ ଓ ମହାରାଷ୍ଟ୍ରରୁ ବସ୍ ଯୋଗେ ଶ୍ରମିକମାନଙ୍କୁ ଅଣାଯିବ । ସେମାନଙ୍କୁ ଯେଉଁ ବସ ଆଣିବାକୁ ଯିବ ତାକୁ ସମସ୍ତ ପ୍ରକାର ଟାକ୍ସ ଛାଡ କରିବାକୁ ଉଦ୍ଧବ ପ୍ରତିଶ୍ରୃତି ଦେଇଛନ୍ତି । ଏଥି ସହ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନା କରି ବରିଷ୍ଠ ଅଧିକାରୀଙ୍କୁ ସମନ୍ୱୟ ରଖିବା ପାଇଁ ଦାୟିତ୍ୱ ଦିଆଯିବ । ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ପ୍ରବାସୀ ଓଡିଆମାନେ ଘରକୁ ଫେରିଲେ ସରକାର କେତେକ ନିୟମ କରିଛନ୍ତି । ଶ୍ରମିକମାନେ ପ୍ରଥମେ ୱେବସାଇଟରେ ନିଜର ନାମ ପଂଜୀକରଣ କରିବେ । ଓଡିଶାରେ ଥିବା ତାଙ୍କ ପରିବାର ଲୋକ ବି ତାଙ୍କ ନାଂ ପଂଜୀକରଣ କରିପାରିବେ । ପଞ୍ଚାୟତକୁ ଫେରିବା ପରେ ଲୋକମାନେ ସିଧା ସଳଖ ନିଜ ଘରକୁ ଯାଇପାରିବେ ନାହିଁ । ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ କେନ୍ଦ୍ରରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏହା ପରେ ୧୪ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ ।

ଗୁଜୁରାଟ ଓ ମହାରାଷ୍ଟ୍ର ପରେ ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.