Latest Odisha News

ତାଳଦଣ୍ଡା କେନାଲ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସହର ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର‌୍ୟ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ସୂଚନା ଅନୁସାରେ ୭ ମାସ ସମୟ ମଧ୍ୟରେ ୧୪ କୋଟି ଟଙ୍କା ବିନିମୟରେ ଶେଷ ହୋଇଛି ଏହି ନୂଆ ରାସ୍ତା। ଏହା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା। ଯାହାକି ଯାତାୟତରେ ଅସୁବିଧା ସୃଷ୍ଟି କରିଥାଏ। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି।

ଆହୁରି ମଧ୍ୟ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ଆଗାମୀ ଦିନରେ ଆହୁରି ସଂପ୍ରସାରିତ କରାଯାଇପାରେ। ଏଥିପାଇଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି । ଏ ଦିଗରେ ତାଳଦଣ୍ଡାର କେନାଲର ନୂଆ ରାସ୍ତା ହେଉଛି ଶୁଭାରମ୍ଭ।

ଏହି ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବା ସମୟରେ କଟକବାସୀ ଯେପରି ତ୍ୟାଗ ଓ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ ସମୟରେ ମଧ୍ୟ ଦିନରାତି କାମ କରି ଏହି ରାସ୍ତା ପ୍ରକଳ୍ପକୁ ରେକର୍ଡ ସମୟରେ ଶେଷ କରିଥିବାରୁ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜୋବ୍ରା ରିଂଗ୍ ରୋଡ ଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବର ଏହି ତିନି ଥାକିଆ ରାସ୍ତାର ଲମ୍ବ ଦେଢ କିଲୋମିଟର ଏବଂ ୧୫ ମିଟର ଚଉଡା। ଏହି ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇଛି।

ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ମଧ୍ୟ କରାଯାଇଛି। ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ଭୁବନେଶ୍ବରରେ ଏବଂ କଟକରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

Leave A Reply

Your email address will not be published.