Latest Odisha News

BREAKING NEWS

ସଫଳତାର ଶୀର୍ଷରେ ‘ମୋ ବସ୍’ ସେବା; ବସରେ ରାଜଧାନୀ ବୁଲିଲେ ନବୀନ…

ଭୁବନେଶ୍ୱର: ‘ମୋ ବସ୍’ ସେବାର ଏକବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର କେତେକ ସ୍ଥାନକୁ ମୋ ବସରେ ବସି ପରିଭ୍ରମଣ କରିଛନ୍ତି ।

ମୋ ବସରେ ବସିବା ପୂର୍ବରୁ ନବୀନ ବସର କଣ୍ଡକ୍ଟରଙ୍କଠାରୁ ଏକ ଟିକଟ ମଧ୍ୟ କାଟିଥିଲେ । ନବୀନ ଯେଉଁ ବସରେ ବସି ରାଜଧାନୀ ବୁଲିଥିଲେ ସେହି ବସରେ ପୂର୍ବରୁ ବସିଥିବା ପ୍ରାୟ ଅଧିକାଂଶ ଯାତ୍ରୀମାନଙ୍କର ଖୁସି କହିଲେ ନ’ସରେ । ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯାତ୍ରୀ ହେବାର ସୌଭାଗ୍ୟ ଲାଭ କରିବା ସହିତ ତାଙ୍କ ସହିତ ସେଲ୍ଫି ନେବାକୁ ମଧ୍ୟ ଭୁଲି ନଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ବସରେ ବୁଲିବାକୁ ନେଇ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନବୀନ ବିଜୁ ପଟ୍ଟନାୟକ ଏୟାରପୋର୍ଟ ଛକରୁ ଜୟଦେବ ଭବନ ପର୍ଯ୍ୟନ୍ତ ଟିକଟ କାଟି ବୁଲିଥିଲେ ।

ଜନସାଧାରଣ ଏହି ମୋ ବସ ସେବା ଯୋଗୁଁ ବେଶ୍ ଉପକୃତ ହୋଇପାରୁଥିବା ଯୋଗୁଁ ନବୀନ ଖୁସି ଅନୁଭବ କରିଛନ୍ତି । “ମୁମ୍ବାଇରେ ସଫଳ ବସ ସେବା ତଥା କୋଲକାତା ଏବଂ ଦିଲ୍ଲୀରେ ମେଟ୍ରୋ ରେଳସେବା ସଫଳ ହେବା ପରି ଓଡ଼ିଶାର ରାଜଧାନୀରେ ଏହିପରି ଯାତ୍ରୀମାନଙ୍କ ଲାଗି ବସ ସେବା ଯୋଗାଇ ଦେବାକୁ ମୋର ଏକ ବହୁଦିନର ସ୍ୱପ୍ନ ଥିଲା,” ବୋଲି ଆନନ୍ଦିତ ହୋଇ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଶରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୋ ବସ ସେବାରେ ୫୦ଟି ଇଲେକ୍ଟ୍ରିକ୍ ବସ ସାମିଲ୍ କରିବାକୁ ନବୀନ ଘୋଷଣା କରିଛନ୍ତି ।

ଏହି ଅବସରରେ ନବୀନ ମୋବି (ମୋ ବସ୍ ଫର୍ ବେଟର୍ ୟୁ) ମୋ ବସ୍ ମାସ୍କଟ ଅନାବରଣ କରିଛନ୍ତି । ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ କିଛିଦିନ ପୂର୍ବରୁ ଏକ ପ୍ରତିଯୋଗିତା ହୋଇଥିଲା । ଆହ୍ୱାନ ପାଇକରାୟ ନାମକ ଜଣେ ଯାତ୍ରୀ ଏହି ପୁରସ୍କାର ଜିତିଛନ୍ତି ।

Leave A Reply

Your email address will not be published.