Latest Odisha News

BREAKING NEWS

୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲରେ ପାଇଲେ ନିଯୁକ୍ତି, ଗଣାତ୍ମକ ଚିକିତ୍ସା ଉପରେ ନବୀନଙ୍କ ଗୁରୁତ୍ବ

ଭୁବନେଶ୍ୱର: ଲୋକସେବା ଭବନରେ ମଙ୍ଗଳବାର ଅନୁଷ୍ଠିତ ନିଯୁକ୍ତି ପର୍ବରେ ୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲ ଓ ଡିସପେନସାରିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ଓ ମାଗଣା ସ୍ୱାସ୍ଥ୍ୟସେବା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାର ମୌଳିକ ବୈଶିଷ୍ଟ୍ୟ। ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଆମର ନୀତି ଆଦର୍ଶରେ ପରିଚାଳିତ। ମୋ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଅର୍ଥ ଅଭାବରୁ ଜଣେ ବି ବ୍ୟକ୍ତି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ଉଚିତ ନୁହେଁ। ଇଏସ୍ଆଇ ହସ୍ପିଟାଲଗୁଡ଼ିକ ୮ ଲକ୍ଷ ବୀମାଭୁକ୍ତ ବ୍ୟକ୍ତିଙ୍କର ଯତ୍ନ ନେଉଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୦ ଲକ୍ଷ ପରିବାରର ଯତ୍ନ ନିଆଯାଉଛି।

ଇଏସ୍ଆଇ ହସ୍ପିଟାଲ୍ ଓ ଡିସପେନସାରିଗୁଡ଼ିକ ବୀମାଭୁକ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଆଶା ଓ ବିଶ୍ୱାସର କେନ୍ଦ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ ଭଳି ଇଏସ୍ଆଇ ଡାକ୍ତରଙ୍କ ପାଇଁ ଡାଇନାମିକ ଆସୁରଡ କ୍ୟାରିୟର ପ୍ରୋଗ୍ରେସନ ଏବଂ ଡିପ୍ଲୋମେଟ ଅଫ ନ୍ୟାସନାଲ ବୋର୍ଡ ଲାଭ ଲାଗୁ କରିବା ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି।

ସମାଜରେ ଡାକ୍ତରଙ୍କ ଭୂମିକାକୁ ପ୍ରଶଂସା କରି ନବୀନ କହିଛନ୍ତି ଯେ, ସେମାନେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୃତ୍ତିର ଲୋକ ଏବଂ ଲୋକେ ସେମାନଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରନ୍ତି। ପେସାଦାର ହୋଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆଶ୍ୱସ୍ତି ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଉନ୍ନୟନ କମିଶନର ଅନୁ ଗର୍ଗ, ଶ୍ରମ ଓ ଇଏସଆଇ ସଚିବ ଆର୍. ଏସ୍. ଗୋପାଳନ ପ୍ରମୁଖ ଉପସ୍ଥିତ ଥିଲେ। ଇଏସ୍ଆଇର ନିର୍ଦେଶକ ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୪୫ଟି ଡାକ୍ତରଖାନା ଏବଂ ୧୨ଟି ଡିସପେନସାରୀ ଏବେ ଶ୍ରମ ଏବଂ ଇଏସଆଇ ବିଭାଗ ଅଧୀନରେ ସ୍ୱାସ୍ଥ୍ୟ ସେବା ସୁବିଧା ପ୍ରଦାନ କରୁଛନ୍ତି। ବିଭାଗ ଅଧୀନରେ ଆଉ ୫ଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସିଏମ୍ଓଙ୍କ ବିଜ୍ଞପ୍ତିରୁ ଜଣାପଡ଼ିଛି।

Leave A Reply

Your email address will not be published.