Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୫ ଲକ୍ଷ ଘର ଯୋଗାଇଦେବା ନେଇ କେନ୍ଦ୍ରକୁ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବାତ୍ୟା ବିପର୍ଯ୍ୟସ୍ତ ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୫ ଲକ୍ଷ ଗୃହ ରାଜ୍ୟକୁ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରକୁ ପତ୍ର ଦ୍ୱାରା ଜଣାଇଛନ୍ତି ।

ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟାର ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶା ପ୍ରତି କେନ୍ଦ୍ରର ସହଯୋଗରେ ଆନନ୍ଦ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆହୁରି ମଧ୍ୟ ଏହି ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ କହିଛନ୍ତି ଯେ, ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଅନେକ ବ୍ୟକ୍ତି ଗୃହଶୂନ୍ୟ ହୋଇପଡ଼ିଛନ୍ତି ।

ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖକରି କହିଛନ୍ତି ଯେ, ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକରେ କେଉଁ ଘର ସମ୍ପୂର୍ଣ୍ଣ ଭାବେ ଏବଂ ଆଂଶିକ ରୂପେ କ୍ଷତିଗ୍ରସ୍ତ ହୋଇଛି ତାହାର ଏକ ସର୍ଭେ ରିପୋର୍ଟ ଖୁବଶିଘ୍ର ଆସିଯିବ । ତେବେ ଯାହାବି ହେଉ ପୁରୀରେ ସର୍ବାଧିକ ଗୃହ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ବେଳେ ୧୪ଟି ଜିଲ୍ଲାରେ ଆନୁମାନିକ ୫ ଲକ୍ଷ ଘର ସମ୍ପୂର୍ଣ୍ଣ ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେ ଏହି ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ଆସନ୍ତା ଜୁନ ୧୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବାହ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏହା ପୂର୍ବରୁ ବାତ୍ୟା ବିପର୍ଯ୍ୟସ୍ତ ପରିବାର ଗୁଡ଼ିକୁ ପକ୍କା ଘର ଯୋଗାଇଦେବା ନିମନ୍ତେ ଜୁନ ୧ ତାରିଖରୁ ୱାର୍କ ଅର୍ଡ଼ର୍ ଆରମ୍ଭ ହେବ ।

ଆହୁରି ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ମେ ୬ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ତାଙ୍କ ସହିତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିଯାଇଛନ୍ତି । ତାଙ୍କର ପ୍ରଶାସନ ବାତ୍ୟାରେ ଉଜୁଡ଼ି ଯାଇଥିବା ଘରଗୁଡ଼ିକର ସଂଖ୍ୟା ତଥା କ୍ଷୟକ୍ଷତି ସର୍ମ୍ପକରେ ତାଙ୍କୁ ସେତେବେଳେ ମଧ୍ୟ ଅବଗତ କରିଥିଲେ ।

Leave A Reply

Your email address will not be published.