Latest Odisha News

ନବରାତ୍ରୀ ୨୦୨୪: କାଳରାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଦୂର୍ଗା

ଭୁବନେଶ୍ଵର: ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା’ ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି । ଅଜଣା ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରି ଅଭୟ ପ୍ରଦାନ କରିଥାନ୍ତି।

ଚାଲିଛି ମା’ ଜଗତଜନନୀଙ୍କ ନବରାତ୍ରୀ ପୂଜା । ଏହି ନବରାତ୍ର ପୂଜାରେ ମହାସପ୍ତମୀ ଦିନ ଅସୁରଙ୍କ ସଂହାର କରିବା ପାଇଁ ମା’ ଉଗ୍ର ରୂପ ଧାରଣ କରିଥିଲେ । ମାନ୍ୟତା ରହିଛି ସପ୍ତମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି । ଏଥିପାଇଁ ମା’ ଶୁଭଙ୍କରୀ ନାମରେ ମଧ୍ୟ ଜଗତରେ ପରିଚିତ । ବିଶେଷ କରି ମା’ ଙ୍କ ଏହିପୂଜା ରାତ୍ରି କାଳରେ ସମ୍ପର୍ଣ୍ଣ ହୋଇ ଥାଏ।

ଦେବୀ ଭାଗବତ ପୁରାଣ ଆଧାରରେ, ମା କାଳରାତ୍ରୀ ଅଭୟ ବରଦାୟିନୀ । ମା’ କାଳରାତ୍ରୀ କାଳୀ, ମହାକାଳୀ, ଭଦ୍ରକାଳୀ, ଭୈରବୀ, ରୁଦ୍ରାଣୀ , ଚଣ୍ଡି, ରୌଦ୍ରୀ ଓ ଧୁମୋରଣା, ଚାମୁଣ୍ଡା ଆଦି ନାମରେ ବିଦିତ । ଦେବୀ କାଳରାତ୍ରୀଙ୍କ ଶରୀର ଅନ୍ଧାର ପରି କଳା ବର୍ଣ୍ଣ , ମୁକ୍ତକେଶୀ, ବେକରେ ବିଜୁଳି ପରି ଯାଜୁଲ୍ୟମାନ କରୁଥିବା ମାଳ । ମୁଖରେ କ୍ରୋଧର ଭାବ । ମା’ ଗଧ ଉପରେ ବିରାଜିତ । ମା’ଙ୍କ ଡାହାଣ ହସ୍ତ ସର୍ବଦା ଉପରକୁ ଉଠିଥାଏ ଯାହାର ଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି। ଡାହାଣ ପାଶ୍ବର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ରହିଥାଏ ଓ ବାମ ପାଶ୍ବର ଦୁଇ ହସ୍ତରେ ଅସ୍ତ୍ର ଧରିଥାନ୍ତି । ମା’ ତ୍ରି ନୟନା।

ପୌରାଣିକ କଥାବସ୍ତୁ ଆଧାରରେ , ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମା ପାର୍ବତୀ ଦୁର୍ଗାଙ୍କ ରୂପ ଧାରଣା କରିଥିଲେ । ଦୁର୍ଗାଙ୍କ ରୂପରେ ଶୁମ୍ଭ-ନିଶୁମ୍ଭ ଦୁଇ ରାକ୍ଷାସଙ୍କୁ ବଧ କରିଥିଲେ । କିନ୍ତୁ ରକ୍ତବୀଜକୁ ବଧ କଲାବେଳେ ତା’ ଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମନେଲେ । ସେତେବେଳେ ମା’ ଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇ ରକ୍ତବୀଜ କୁ ବଧ କରି ତା’ ର ରକ୍ତପାନ କରିଥିଲେ। ଏବଂ ଏ ସୃଷ୍ଟିକୁ ରକ୍ଷା କରିଥିଲେ ।

 

Leave A Reply

Your email address will not be published.