Latest Odisha News

BREAKING NEWS

ବୌଦ୍ଧ ପୋଲିସର କୋମ୍ବିଂ ଅପରେସନ୍‌; ପୁଣି ମାଓବାଦୀ କ୍ୟାମ୍ପ ଠାବ

ବୌଦ୍ଧ: ଦୁଇ ଦିନ ଧରି ଚାଲିଥିବା କୋମ୍ବିଂ ଅପରେସନରେ ବୌଦ୍ଧ ପୋଲିସ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ କରିଛି । ସେଠାରୁ ବିପୁଳ ମାଓବାଦୀ ସାମଗ୍ରୀ ସହ ବିସ୍ଫୋରକ ଜବତ କରିଛି । ଏନେଇ ଶୁକ୍ରବାର ରାତିରେ ଏସ୍‌ପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ସୂଚନା ଅନୁସାରେ, ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ରହିଥିବା ସୂଚନା ମିଳିଥିଲା । ବୁଧବାର ଏସ୍‌ଓଜି ଯବାନ ଜଙ୍ଗଲରେ କୋମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ଗୁରୁବାର ମଧ୍ୟାହ୍ନରେ ମାଓବାଦୀ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ସହ ବୋମା ଫିଙ୍ଗିଥିଲେ । ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିଥିଲେ । ପ୍ରାୟ ୨୦/୨୫ ମିନିଟ ଗୁଳି ବିନିମୟ ହେବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ସୁରକ୍ଷା କର୍ମୀ ପ୍ରାୟ ୮୦ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ମାଓବାଦୀ ପ୍ରାୟ ୨୦୦ ଶହ ରାଉଣ୍ଡ ସହ ବୋମା ଫିଙ୍ଗିଥିଲେ । ଜୋରଦାର କୋମ୍ବିଂ ଅପରେସନ କରାଯିବା ବେଳେ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା । କ୍ୟାମ୍ପରୁ ବିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ସହ ୧୨ଟି ଆଇଡି ଉଦ୍ଧାର କରାଯାଇଛି ।

କ୍ୟାମ୍ପରେ ପ୍ରାୟ ୩୦-୪୦ ମାଓବାଦୀ ଥିବା ଆଶଙ୍କା କରାଯାଉଛି । ମାଓବାଦୀମାନେ କେକେବିଏନ୍‌? ଗୋଷ୍ଠୀର ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ରାବଣେଶ୍ୱର ଜଙ୍ଗଲରୁ ମଧ୍ୟ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା ।

Comments are closed.