Latest Odisha News

BREAKING NEWS

ନିଶାସକ୍ତ ବ୍ୟକ୍ତିମାନଙ୍କୁ ନିଶାମୁକ୍ତ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ: ଶ୍ରୀ ହରିଚନ୍ଦନ

ଭୁବନେଶ୍ୱର: ଶପଥ ନେବା ପରେ ଆଜି ବିଭାଗୀୟ ସମୀକ୍ଷା କରିଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀ ହରିଚନ୍ଦନ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ସମୀକ୍ଷା କରିଛନ୍ତି । ରାଜ୍ୟରେ ଚୋରା ମଦ କାରବାର ରୋକିବା ଏବଂ ବ୍ରାଉନ ସୁଗାର ବ୍ୟବହାରକୁ ପ୍ରତିହତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜନ ଏବଂ ଚଢ଼ଉକୁ ବ୍ୟାପକ କରିବା ଦିଗରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଶ୍ରୀ ହରିଚନ୍ଦନ ।

ସେହିପରି ବିଭାଗର କାର୍ଯ୍ୟଧାରାରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ପ୍ରୟୋଗ, ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି, ବିଭାଗର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ହରିଚନ୍ଦନ । ରାଜ୍ୟ ପାନୀୟ ନିଗମର ଉତ୍ପାଦଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ଅଧିକ ଗୋଦାମର ଆବଶ୍ୟକତା ଥିବା ଜାଣି ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।

କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣର ଆବଶ୍ୟକତା ଥିବା ଦୃଷ୍ଟିରୁ ଏକ ଅବକାରୀ ଏକାଡେମୀ ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ନିଶାସକ୍ତ ବ୍ୟକ୍ତିମାନଙ୍କୁ ଯେପରି ନିଶାମୁକ୍ତ କରାଯାଇ ସେମାନଙ୍କୁ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ, ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.