Latest Odisha News

ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା, ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି

ଭୁବନେଶ୍ୱର: ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବୈଜ୍ଞାନିକମାନେ ଗବେଷଣା କରି ଏପରି ଏକ ବଡ଼ ସଫଳତା ପାଇଛନ୍ତି।

ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁଙ୍କ ନେତୃତ୍ୱାଧୀନ ଟିମ୍ ନିମ୍ବ ପତ୍ରରେ ନିମ୍ବୋଲାଇଡ ନାମକ ଏକ ଫାଇଟୋକେମିକାଲ ଥିବାର ଜାଣିବାକୁ ପାଇଛନ୍ତି। ଯାହା ସ୍ତନ କର୍କଟ କୋଷକୁ ନଷ୍ଟ କରିବାରେ ଫଳପ୍ରଦ ହୋଇଥାଏ। ନିମ୍ବୋଲାଇଡ ଅନ୍ୟ ପ୍ରକାରର କ୍ୟାନସର ସେଲ୍ ବିରୋଧରେ ମଧ୍ୟ ପ୍ରଭାବଶାଳୀ ବୋଲି ଗବେଷଣା ବେଳେ ପ୍ରମାଣିତ ହୋଇଛି।

ଅନ୍ତର୍ଜାତୀୟ ସାଇନ୍ସ ଜର୍ଣ୍ଣାଲ ମୋଲିକ୍ୟୁଲାର ଥେରାପି ନ୍ୟୁକ୍ଲିକ୍ ଏସିଡରେ ପ୍ରକାଶିତ ଏହି ଟିମର ଗବେଷଣାରୁ ଜଣାପଡ଼ିଛି ଯେ ନିମ୍ବୋଲାଇଡ୍ ସ୍ତନ କର୍କଟର ସବୁଠାରୁ ଆକ୍ରମଣାତ୍ମକ ରୂପ ଟ୍ରିପଲ ନେଗେଟିଭ୍ ସ୍ତନ କର୍କଟକୁ ମଧ୍ୟ ଆରୋଗ୍ୟ କରିବାରେ ସକ୍ଷମ। ପୂର୍ବରୁ ମୂଷା ଓ ଜେବ୍ରାଫିଶ ଉପରେ ନିମ୍ବୋଲାଇଡର ସଫଳ ପରୀକ୍ଷଣ ହୋଇସାରିଛି।

ନିମ୍ବୋଲାଇଡର କ୍ୟାନସର ନିରୋଧୀ ଗୁଣ ପୂର୍ବରୁ ଜଣା ପଡ଼ିଥିବା ବେଳେ ଏହା ମଣିଷ ରକ୍ତରେ ମିଶି ନଥିବାରୁ ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି। ତେବେ ନାନୋ ଟେକ୍ନୋଲୋଜି ବ୍ୟବହାର କରି ଆଇଏଲ୍ଏସ୍ ବୈଜ୍ଞାନିକମାନେ ନିମ୍ବୋଲାଇଡ୍କୁ ମଣିଷ ଶରୀରରେ ବ୍ୟବହାର ପାଇଁ ପ୍ରଭାବୀ କରିବାରେ ସକ୍ଷମ ହୋଇଛନ୍ତି।

କ୍ୟାନସରଗ୍ରସ୍ତ ମାନବ ସ୍ତନ କୋଷିକାରେ ନିମ୍ବୋଲାଇଡକୁ ସଫଳତାର ସହ ପହଞ୍ଚାଇବା ପାଇଁ ଆମେ ନାନୋମେଡିସିନ ବ୍ୟବହାର କରିଛୁ। ଏହାର କାର୍ଯ୍ୟକାରିତା ପରୀକ୍ଷା କରିବା ପାଇଁ ଆମେ ଦୁଇଟି ପ୍ରି-କ୍ଲିନିକାଲ୍ ମଡେଲ୍ ପ୍ରସ୍ତୁତ କରିଥିଲୁ। ଆମେ ମୂଷା ଓ ଜେବ୍ରାଫିସରେ ରାସାୟନିକ ଇଞ୍ଜେକ୍ସନ ଦେଇ ଟ୍ୟୁମର ସୃଷ୍ଟି କରିଥିଲୁ ଏବଂ ନିମ୍ବୋଲାଇଡ ଅଣୁ ବ୍ୟବହାର କରି ସେମାନଙ୍କୁ ସୁସ୍ଥ କରିଥିଲୁ ବୋଲି ଡାକ୍ତର ସାହୁ କହିଛନ୍ତି।

କ୍ୟାନସରର ଚିକିତ୍ସା ପାଇଁ ନିମ୍ବୋଲାଇଡର ବ୍ୟବହାରର ଏକ ମୁଖ୍ୟ ଫାଇଦା ହେଉଛି ଏହା କେବଳ କ୍ୟାନସର କୋଷକୁ ଟାର୍ଗେଟ କରିଥାଏ, କେମୋଥେରାପି ଭଳି ନୁହେଁ ଏହା ସୁସ୍ଥ କୋଷକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ନିମ୍ବୋଲାଇଡ ଅଣୁର ଭଲ ଗୁଣି ହେଉଛି ଏହା କେବଳ କ୍ୟାନସର କୋଷକୁ ନଷ୍ଟ କରିଥାଏ ଏବଂ ସାଧାରଣ କୋଷ ଉପରେ ଏହାର କୌଣସି ବିଷାକ୍ତ ପ୍ରଭାବ ପଡୁନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି।

ଆଇଏଲ୍ଏସ୍ ବୈଜ୍ଞାନିକମାନେ ଏବେ ମଣିଷ ଉପରେ ନିମ୍ବୋଲାଇଡର ପ୍ରଭାବକୁ ନେଇ ଗବେଷଣାକୁ ଜୋରଦାର କରୁଛନ୍ତି। ଯଦି ସେମାନଙ୍କର ଗବେଷଣା ସଫଳ ହୁଏ, ତେବେ ଏହା ସ୍ତନ କର୍କଟ ପାଇଁ ଏକ ନୂତନ, ଅଧିକ ପ୍ରଭାବଶାଳୀ ଏବଂ କମ୍ ବିଷାକ୍ତ ଚିକିତ୍ସା ବିକଶିତ କରିପାରେ।

Leave A Reply

Your email address will not be published.