ଭୁବନେଶ୍ୱର: ସିଜନର ପ୍ରଥମ ଘରୋଇ ଟ୍ରାକ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଦେଶର ପ୍ରତିଷ୍ଠିତ ଆଥଲେଟ ଏଥିରେ ଅଂଶଗ୍ରହଣ କରିବେ । ଏହି ଆଥଲେଟ ମେଳାରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଓ ଓଡିଶାର କିଶୋର ଜେନା ମୂଖ୍ୟ ଆକର୍ଷଣ ହେବେ । ୨୭ତମ ଜାତୀୟ ଫେଡେରେଶନ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫିକେଶନ ଇଭେଂଟ ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି । ଓଡିଶା ସରକାର ଏହି ଡୋମେଷ୍ଟିକ ପ୍ରତିଯୋଗିତାକୁ ସ୍ପନଶର କରିଛନ୍ତି ।
କଳିଙ୍ଗ ଷ୍ଟାଡିୟମର ୮ ଲେନ ୭୦୦ ଆଥଲେଟଙ୍କ ପ୍ରଦର୍ଶନର ମୂକ ସାକ୍ଷୀ ହେବ । ଏଥିରେ ୧୮୦ ମହିଳା ଆଥଲେଟ ମଧ୍ୟ ରହିଛନ୍ତି । ଦୋହା ଡାଇମଣ୍ଡ ଲିଗରେ ଜାଭେଲିନ ଥ୍ରୋୟର ନୀରଜ ଅଳ୍ପକେ ସ୍ୱର୍ଣ୍ଣ ପଦକ ହାସଲରୁ ବଂଚିତ ହୋଇଥିଲେ । କିଶୋରଙ୍କ ପ୍ରଦର୍ଶନ ମଧ୍ୟ ସେତେଟା ପ୍ରଶଂସନୀୟ ରହି ନ ଥିଲା । ଉଭୟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଥିବାରୁ ଏହା ସେମାନଙ୍କ ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ସେହିପରି ଭାରତର ୪ ଗୁଣନ ୪୦୦ ରିଲେ ଟିମ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି । ଷ୍ଟାର ଆଥଲେଟ ଆମେଜ ଜ୍ୟାକବ ବ୍ୟକ୍ତିଗତ ପ୍ରଦର୍ଶନ ସ୍ତର ସୁଧାରିବା ଲକ୍ଷ୍ୟରେ ରହିଛନ୍ତି । ମହମ୍ମଦ ଆଜମଲ, ଜ୍ୟୋତିକା ଶ୍ରୀ ଦାଣ୍ଡି, ଭି ଶୁଭାଙ୍କ ଉପରେ ମଧ୍ୟ ନଜର ରହିବ । ଏହା ପରେ ହରିୟାଣାର ପଂଚକୂଲାରେ ଜୁନ ୨୭ରୁ ୩୦ ପର୍ଯ୍ୟନ୍ତ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ଅଲିମ୍ପିକ ଯୋଗ୍ୟତା ପାଇଁ ଏହା ଭାରତୀୟ ଆଥଲେଟଙ୍କ ପାଇଁ ଶେଷ ସୁଯୋଗ ରହିବ ।
Comments are closed.