Latest Odisha News

ଜାଭେଲିନରେ ନୀରଜ-ନଦୀମ ଶୋ’

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଜାଭେଲିନ ଥ୍ରୋ’ରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ଏଥର ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଲଗାତର ଦ୍ୱିତୀୟ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଫାଇନାଲରେ ବାଜି ମାରିନେଲେ ନୀରଜଙ୍କ ପାକିସ୍ତାନୀ ପ୍ରତିଦ୍ୱନ୍ଦୀ ଆର୍ସାଦ ନଦୀମ । ଫାଇନାଲରେ ଆର୍ସାଦ ନିଜର ଦ୍ୱିତୀୟ ଉଦ୍ୟମରେ ୯୨ ଦଶମିକ ୯୭ ମିଟର ଯାଏଁ ଜାଭେଲିନ ଫିଙ୍ଗିଥିଲେ, ଯାହା କି ଥିଲା ନୂଆ ଅଲିମ୍ପିକ ରେକର୍ଡ । ନୀରଜ ଚୋପ୍ରା ଦ୍ୱିତୀୟ ଉଦ୍ୟମରେ ୮୯ ଦଶମିକ ୪୫ ମିଟର ଯାଏଁ ଫିଙ୍ଗିଥିଲେ ଜାଭେଲିନ । ନୀରଜଙ୍କ ବାକି ଥ୍ରୋ ଫାଉଲ ରହିଥିଲା । ନିଜର ଦ୍ୱିତୀୟ ଉଦ୍ୟମରେ ଆର୍ସାଦଙ୍କ ଲମ୍ବା ଥ୍ରୋ ହିଁ ତାଙ୍କୁ ଦେଇଥିଲା ଐତିହାସିକ ସ୍ୱର୍ଣ୍ଣ ।

୩୨ ବର୍ଷ ପରେ ପାକିସ୍ତାନ ପାଇଁ ଆର୍ସାଦ ଜିତିଛନ୍ତି ପ୍ରଥମ ଅଲିମ୍ପିକ୍ସ ପଦକ ଓ ୪୦ ବର୍ଷ ପରେ ପ୍ରଥମ ସ୍ୱର୍ଣ୍ଣ । ଗତ କିଛି ବର୍ଷ ଜାଭେଲିନ ଥ୍ରୋରେ ଆର୍ସାଦ ହିଁ ନୀରଜଙ୍କ ବଡ ପ୍ରତିଦ୍ୱନ୍ଦୀ ରହିଆସିଛନ୍ତି । ଫାଇନାଲରେ ନିଜର ଷଷ୍ଠ ଉଦ୍ୟମରେ ମଧ୍ୟ ଆର୍ସାଦ ୯୧ ଦଶମିକ ୯୭ ମିଟର  ଯାଏଁ ଜାଭେଲିନ ଥ୍ରୋ କରିଥିଲେ । ଆର୍ସାଦଙ୍କ ପ୍ରଦର୍ଶନ ଯେ, ନୀରଜଙ୍କଠାରୁ ବେଶ୍ ଉନ୍ନତ ଥିଲା, ତାହା ସ୍ୱୀକାର କରିବାରେ ଭୁଲ୍ ନାହିଁ । ଖେଳ ଭାବନାର ପରିଚୟ ଦେଇ ଖୋଦ୍ ନୀରଜ ଚୋପ୍ରା ମଧ୍ୟ ଆର୍ସାଦଙ୍କ ପ୍ରଦର୍ଶନର ପ୍ରଶଂସା କରିଛନ୍ତି ।

ହକି ଓ କ୍ରିକେଟ ପରେ ଜାଭେଲିନ ଥ୍ରୋରେ ନୀରଜ ଓ ଆର୍ସାଦଙ୍କ ପ୍ରତିଦ୍ୱନ୍ଦିତା କ୍ରୀଡାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରାୟ ସବୁ ଅଗ୍ରଣୀ ପ୍ରତିଯୋଗିତାରେ ଆର୍ସାଦଙ୍କୁ ମାତ୍ ଦେଇଛନ୍ତି ନୀରଜ । କିନ୍ତୁ ପ୍ୟାରିସ ଫାଇନାଲ ଗୋଳମାଳିଆ ହୋଇଗଲା । ଦୁଇ ଖେଳାଳି ପଡିଆରେ ଜବରଦସ୍ତ ପ୍ରତିଦ୍ୱନ୍ଦୀ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ ସଂପର୍କ ଭଲ ରହିଛି । ଏପରିକି ଆର୍ସାଦଙ୍କ ପାଖରେ ଭଲ ଜାଭେଲିନ ନଥିବା ବେଳେ ତାଙ୍କର ସହାୟତା ପାଇଁ ଆଗେଇ ଆସିଥିଲେ ନୀରଜ । ବିଶ୍ୱ ଜାଭେଲିନରେ ଭାରତୀୟ ଉପମହାଦେଶର ଦୁଇ ପ୍ରତିଯୋଗୀଙ୍କ ପ୍ରାଧାନ୍ୟରେ ଅନେକ ଆନନ୍ଦିତ ହୋଇଛନ୍ତି ।

ଅଲିମ୍ପିକ୍ସ , ବିଶ୍ୱ ଆଥଲେଟିକ୍ସ, ଡାଏମଣ୍ଡ ଲିଗ୍ ଓ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି ନୀରଜ । ଏଥର ଅଲିମ୍ପିକ୍ସରେ ସେ ଜଣେ ଶ୍ରେଷ୍ଠ ଖେଳାଳିଙ୍କଠାରୁ ହାରିଛନ୍ତି । ନୀରଜଙ୍କ ସଫଳ କ୍ୟାରିଅରର ଏକମାତ୍ର ଦୁର୍ବଳ ବିନ୍ଦୁ ହେଲା ଯେ, ସେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାରେ ୯୦ ମିଟର ଥ୍ରୋ କରିପାରିନାହାନ୍ତି । ନୀରଜଙ୍କ ପର୍ସନାଲ ବେଷ୍ଟ ଥ୍ରୋ ହେଉଛି ୮୯ ଦଶମିକ ୯୪ ମିଟର । ୨୦୨୨ ଷ୍ଟକହୋମ ଡାଏମଣ୍ଡ ଲିଗରେ ନୀରଜ ନିଜର ଶ୍ରେଷ୍ଠ ଥ୍ରୋ କରିଥିଲେ । ଆର୍ସାଦ ୨୦୨୨ ମାଂଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡାରେ ହିଁ ୯୦ ମିଟର ଦୂରତା ଭେଦ କରିସାରିଥିଲେ । ଜାଭେଲିନ ଫାଇନାଲରେ ରୌପ୍ୟ ପଦକ ଜିତି ନୀରଜ ଅଲିମ୍ପିକ୍ସର ସ୍ୱର୍ଣ୍ଣ ଓ ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡାବିତ ହୋଇଛନ୍ତି ।

ଆର୍ସାଦ ନଦୀମଙ୍କ ବାପା ଜଣେ ଶ୍ରମିକ । ପ୍ୟାରିସ ଅଲିମ୍ପିକ୍ସ ଟ୍ରେନିଂ ପାଇଁ ପଇସାନଥିଲା । ତେଣୁ ଚାନ୍ଦା ସଂଗ୍ରହ କରି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହୋଇଥିଲେ ଆର୍ସାଦ । ୨୦୧୧ରେ ଆଥଲେଟିକ୍ସରେ ପାଦ ରଖିଥିଲେ ଆର୍ସାଦ । ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆର୍ସାଦ ଥିଲେ ପାକିସ୍ତାନର ପ୍ରଥମ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଆଥଲେଟ୍ । ଏଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ହେଉଛି ତାଙ୍କ କ୍ୟାରିୟରର ପ୍ରଥମ । ପୂର୍ବରୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ଆର୍ସାଦ ।

 

 

Comments are closed.