ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଥ୍ରେୟାର ନୀରଜ ଚୋପ୍ରା କୋଚ ବଦଳାଇଛନ୍ତି । ଶନିବାର ସେ ୩ ଥର ଅଲିମ୍ପିକ୍ସ ଚାମ୍ପିୟନ ଓ ବିଶ୍ୱରେକର୍ଡଧାରୀ ଜାନ ଜେଲଜନୀଙ୍କୁ ନିଜର ନୂତନ କୋଚ ଭାବେ ନିଯୁକ୍ତ କରିଛନ୍ତି । ଚେକ ରିପବ୍ଲିକର ଜାନ ୧୯୯୨, ୯୬ ଓ ୨୦୦୦ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ବେଳେ ୧୯୯୩, ୯୫ ଓ ୨୦୦୧ରେ ବିଶ୍ୱଚାମ୍ପିୟନ ହୋଇଥିଲେ । ନୀରଜ ଏହା ପୂର୍ବରୁ ଜର୍ମାନୀର ବାୟୋମେକାନିକ୍ସ ବିଶେଷଜ୍ଞ କ୍ଲାସ ୱାର୍ଟିନିଜଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ । ମୁଁ ସର୍ବଦା ଜେଲଜନୀଙ୍କୁ ଟେକନିକକୁ ଧ୍ୟାନରେ ସହିତ ଦେଖିଥାଏ । ତାଙ୍କର ଅନେକ ଭିଡିଓ ମୋର ପ୍ରଦର୍ଶନସ୍ତର ସୁଧାରିବାରେ ସହାୟ ହୋଇଛି ।
ଜାଭେଲିନ ଥ୍ରୋ କରିବାରେ ତାଙ୍କ ସହ ମୋ ଶୈଳୀ ମିଶୁଥିବାରୁ ଏହା ମୋତେ ଫାଇଦାରେ ରଖିବ ବୋଲି ନୀରଜ କହିଛନ୍ତି । ନୀରଜଙ୍କ କୋଚ ହେବା ପରେ ଜେଲଜନୀ କହିଛନ୍ତି, ସେ ଏ ପର୍ୟ୍ୟନ୍ତ ୯୦ ମିଟର ମାର୍କ ଅତିକ୍ରମ କରିପାରି ନାହାନ୍ତି । ସେ ଏଥିପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଆଶା କରୁଛି ଆମେ ଏହି ସଫଳତା ହାସଲ କରିନେବୁ । ମୁଁ ପୂର୍ବରୁ କହିଥିଲି ଯଦି ଚେକ ରିପବ୍ଲିକ ବାହାରେ କାହାକୁ ପ୍ରଶିକ୍ଷଣ ଦିଏ ତେବେ ସେ ଭାରତର ନୀରଜ ହେବେ । ଆଗକୁ ଆମେ କିଛି ବଡ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।
Comments are closed.