Latest Odisha News

BREAKING NEWS

ନା ‘ଇଣ୍ଡିଆ’, ନା ଏନଡିଏ; କ’ଣ ରହିବ ଏହି ୫ ଦଳର ଆଭିମୁଖ୍ୟ?

ନୂଆଦିଲ୍ଲୀ: ଦିଲ୍ଲୀ ଓ ବେଙ୍ଗାଲୁରୁରେ ୬୨ ରାଜନୈତିକ ଦଳର ନେତା ଉପସ୍ଥିତ ରହି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଙ୍କ କଷୁଛନ୍ତି।  ଦିଲ୍ଲୀରେ ଅଶୋକା ହୋଟେଲରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ ୩୮ଟି ରାଜନୈତିକ ଦଳ ଅଂଶଗ୍ରହଣ କରୁଛନ୍ତି। ସେହିପରି ବାଙ୍ଗାଲୋରରେ ୨୪ଟି ରାଜନୈତିକ ଦଳ ଏକାଠି ହୋଇ ‘ଇଣ୍ଡିଆ’ ନାରେ ଏକ ମେଣ୍ଟ ଗଠନ କରିଛନ୍ତି। ଅର୍ଥାତ ଆଗାମୀ ନିର୍ବାଚନ ଇଣ୍ଡିଆ ବନାମ ଏନଡିଏ। କିନ୍ତୁ ଏବେ ଚର୍ଚ୍ଚା ବଢିଛି ଦେଶର ଆଉ ୫ ରାଜନୈତିକ ଦଳଙ୍କ ବାବଦରେ ଯେଉଁମାନେ ଇଣ୍ଡିଆ ନା ଏନଡିଏ କୌଣସି ମେଣ୍ଟକୁ ସମର୍ଥନ ଘୋଷଣା ନକରି ନିଜ ନିଜ ରାଜ୍ୟରେ ବସି ଦେଶର ରାଜନୈତିକ ସ୍ଥିତି ଉପରେ ନଜର ରଖିଛନ୍ତି। ଆଉ କୁହାଯାଉଛି ନିର୍ବାଚନ ଫଳାଫଳ ପରେ ଏମାନେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ନଚେତ ଏବେର ସ୍ଥିତି ପରି ଅଘୋଷିତ ମେଣ୍ଚ କରିପାରନ୍ତି।

ବିଜୁ ଜନତା ଦଳର ଆଭିମୁଖ୍ୟ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜୁ ଜନତା ଦଳ ମଧ୍ୟ କୌଣସି ମେଣ୍ଟରେ ସାମିଲ ହୋଇନି। ନବୀନ ପଟ୍ଟନାୟକ ହେଉଛନ୍ତି ସେହି ନେତା ଯିଏ ସମଦୂରତା ରାଜନୀତିରେ ବିଶ୍ବାସ କରନ୍ତି। କାହା ସହ ଶତ୍ରୁତା ନକରିବ ହେଉଛି ତାଙ୍କ ନୀତି। ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ପଟ୍ଟନାୟକ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏର ଏକ ଅଂଶ ଥିଲେ ଏବଂ କେନ୍ଦ୍ରରେ ମଧ୍ୟ ମନ୍ତ୍ରୀ ଥିଲେ। କିନ୍ତୁ ୨୦୦୦ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

୨୦୧୪ରେ ମୋଦୀ ଲହର ପରେ ଏନଡିଏରୁ ଦୂରେଇ ଯାଇଥିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ଦଳ ୨୦୧୪ରେ ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ଜିତିଥିଲା ​​ଏବଂ ୨୦୧୯ରେ ସେମାନେ ୧୨ଟି ଜିତିଥିଲେ। ୨୦୦୦ ରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ରୌଣସି ଆଗ୍ରହ ଦେଖାଇ ନାହାଁନ୍ତି ଯେ ତାଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବିରୋଧୀ ଏକତା ଆବଶ୍ୟକ। ହେଲେ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ସେ ମୋଦୀ ସରକାରକୁ ସମର୍ଥନ କରିଛନ୍ତି। ରାଜ୍ୟରେ ବିରୋଧୀ କଂଗ୍ରେସ କୁହେ ଇଡି, ସିବିଆଇ ଭୟରେ ବିଜେଡି ମୋଦୀ ସରକାରକୁ ଦିଲ୍ଲୀରେ ସମର୍ଥନ କରୁଛି। ବିରୋଧୀ ଏକତାର ସ୍ଥାପତ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେତେବେଳେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଏକତାରେ ଯୋଗଦେବାକୁ ଅନୁରୋଧ କରିଥିଲେ, ସେତେବେଳେ ନବୀନ ପଟ୍ଟନାୟକ ମନା କରିଦେଇଥିଲେ ବୋଲି ସୂଚନା ରହିଛି।

ଓ୍ବାଇଏସଆର କଂଗ୍ରେସର ଆଭିମୁଖ୍ୟ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସଆର କଂଗ୍ରେସ। ନା ବିରୋଧୀ ଦଳ ସହିତ ରହିଛି ନା ଶାସକ ଦଳ ଏନଡିଏକୁ ସମର୍ଥନ ଘୋଷଣା କରିଛି। କିନ୍ତୁ କଂଗ୍ରେସ ସହିତ ଦଳର ପୁରୁଣା ଶତ୍ରୁତା ଅଛି ଏବଂ ଏହା ଏତେ ପୁରୁଣା ଯେ ଯଦି କଂଗ୍ରେସ ସହିତ ଶତ୍ରୁତା ନଥାନ୍ତା, ତେବେ ବୋଧହୁଏ ତାଙ୍କୁ ଓ୍ୱାଇଏସଆର କଂଗ୍ରେସ ଗଠନ କରିବାକୁ ପଡ଼ିନଥାନ୍ତା। ଅନ୍ୟପଟେ ବିଜେପି ସହିତ ଗଲେ ରାଜ୍ୟରେ କ୍ଷମତାଚ୍ଯୁତ ହୋଇପାରନ୍ତି ଆଶଙ୍କା କରି ଏବେ ସମର୍ଥନ ଘୋଷଣା କରିନାହାନ୍ତି କିନ୍ତୁ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ କରୁଛନ୍ତି।

ଜଗନ୍ ମୋହନ ରେଡ୍ଡୀ ଉଭୟ ମେଣ୍ଟରୁ ସମାନ ଦୂରତା ବଜାୟ ରଖିଛନ୍ତି । ଯେତେବେଳେ କି ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ମଧ୍ୟରୁ ୨୨ଟି ଲୋକସଭା ଆସନ ପାଇଛନ୍ତି।

ଭାରତ ରାଷ୍ଚ୍ର ସମିତିର ଆଭିମୁଖ୍ୟ

ଆନ୍ଧ୍ରପ୍ରଦେଶର ପଡୋଶୀ ରାଜ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନିଜ ଦଳ ଗଠନ କରିବା ପୂର୍ବରୁ କେସିଆର ପ୍ରଥମେ କଂଗ୍ରେସର ଏବଂ ପରେ ଟିଡିପିର ଏକ ଅଂଶ ଥିଲା। ତା’ପରେ ଅଲଗା ତେଲେଙ୍ଗାନାର ଦାବି କରିବାକୁ ଯାଇ ସେ ନିଜ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ଟିଆରଏସ (ଏବେ ଭାରତ ରାଷ୍ଟ୍ର ସମିତି) ଗଠନ କରିଛନ୍ତି। ଏବଂ ନିଜ ଦଳରୁ ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଜାତୀୟ ରାଜନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଦଳକୁ ଭାରତ ରାଷ୍ଟ୍ର ସମିତିରେ ପରିବର୍ତ୍ତନ କରିଛନ୍ତି। କିନ୍ତୁ ସେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବିରୋଧୀ ବୈଠକରେ ସାମିଲ ହୋଇନାହାନ୍ତି।କାରଣ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି। ଏଠାରେ ବିଆରଏସର ପ୍ରମୁଖ ପ୍ରତିଦ୍ବନ୍ଦୀ କଂଗ୍ରେସ। ଏପରି ସ୍ଥିତିରେ କେସିଆର ନାରା ଦେଇଛନ୍ତି ଏକଲା ଚାଲୋରେ।

ତେଲୁଗୁ ଦେଶମ ପାର୍ଟିର ଆଭିମୁଖ୍ଯ

ଅନ୍ୟ ଦଳ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି, ଯାହାର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏକଦା ଏନଡିଏର ଅନ୍ୟତମ ଲୋକପ୍ରିୟ ଚେହେରା ଥିଲେ। ଆନ୍ଧ୍ରପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁ ଥିଲେ, କିନ୍ତୁ ୨୦୧୯ ରେ ସେ ଏନଡିଏରୁ ଦୂରେଇ ଯାଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ହୋଇଛି।

ସେ କେବଳ ଦେଶର ରାଜନୀତିରେ ଅପ୍ରାସଙ୍ଗିକ ହୋଇନଥିଲେ, ସେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ହରାଇଛନ୍ତି। ଏବେ ସେ କୌଣସି ଗୋଷ୍ଠୀକୁ ସମର୍ଥନ କରିନାହାନ୍ତି କିନ୍ତୁ ନିକଟରେ ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ସେ ଭେଟିବା ପରେ ପୁଣିଥରେ ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି।

ବିଏସପି ଓ ଅକାଳୀ ଦଳର ଆଭିମୁଖ୍ଯ

ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ, ପଞ୍ଜାବର ପୂର୍ବତନ ଶାସକ ଦଳ ଶିରୋମଣୀ ଅକାଳୀ ଦଳ ମଧ୍ୟ କୌଣସି ମେଣ୍ଟକୁ ସମର୍ଥନ କରିନାହାନ୍ତି।

Comments are closed.