ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏମିତି ଏକ ଦୁନିଆ, ଯେଉଁଠି କୋଟି କୋଟି ବର୍ଷ ଧରି ସୂର୍ଯ୍ୟ ଆଲୋକ ପହଞ୍ଚି ନାହିଁ, କିନ୍ତୁ ସେଠାରେ ଜୀବନ ରହିଛି । ନ୍ୟୁ ମେକ୍ସିକୋର ‘କାର୍ଲସବାଡ୍ କାଭର୍ଣ୍ଣସ୍’ ଗୁମ୍ଫା ଭିତରେ ବୈଜ୍ଞାନିକମାନେ ଏମିତି କିଛି ଦେଖିବାକୁ ପାଇଛନ୍ତି, ଯାହା ଆମର ଜୀବନ ପ୍ରତି ଥିବା ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।
ୟୁନିଭରସିଟି ଅଫ୍ ଆଲାବାମା ଏବଂ ଅପସାଲା ୟୁନିଭରସିଟିର ଗବେଷକମାନେ ଏହି ଗୁମ୍ଫାର ଏକ ଏମିତି ଅଂଶରେ ପହଞ୍ଚିଥିଲେ, ଯେଉଁଠି ଘୋର ଅନ୍ଧାର ଛଡ଼ା କିଛି ନଥିଲା। କିନ୍ତୁ ହଠାତ୍ ସେମାନଙ୍କ ଟର୍ଚ୍ଚ ଆଲୋକରେ ଝଲସି ଉଠିଥିଲା କାନ୍ଥରେ ଥିବା ସବୁଜ ରଙ୍ଗର ଆସ୍ତରଣ। ଏଗୁଡ଼ିକ ହେଉଛି ‘ସାଇନୋବ୍ୟାକ୍ଟେରିଆ’ (Cyanobacteria), ଯାହା ପ୍ରାୟ ୪ କୋଟି ୯୦ ଲକ୍ଷ ବର୍ଷ ଧରି ଏଠାରେ ରହିଆସୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଣୁଜୀବମାନେ ବିନା ସୂର୍ଯ୍ୟକିରଣରେ ନିଜର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।
ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଜୀବାଣୁମାନେ ସୂର୍ଯ୍ୟଙ୍କ ଦୃଶ୍ୟମାନ ଆଲୋକ ବଦଳରେ ‘ନିୟର ଇନଫ୍ରାରେଡ୍’ (Near Infrared) ରଶ୍ମିର ବ୍ୟବହାର କରୁଛନ୍ତି। ଏମାନଙ୍କ ପାଖରେ ଥିବା ସ୍ୱତନ୍ତ୍ର କ୍ଲୋରୋଫିଲ୍ ଅତି କମ୍ ଶକ୍ତିର ଆଲୋକକୁ ବ୍ୟବହାର କରି ଅମ୍ଳଜାନ ତିଆରି କରିପାରୁଛି। ଏହି ଆବିଷ୍କାର ଏବେ ଆଷ୍ଟ୍ରୋବାୟୋଲୋଜି ବା ମହାକାଶ ଜୀବବିଜ୍ଞାନ ପାଇଁ ଏକ ନୂଆ ଦ୍ୱାର ଖୋଲିଛି।
ବର୍ତ୍ତମାନ ନାସା (NASA) ଏବଂ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ମାଧ୍ୟମରେ ସେହିଭଳି ଗ୍ରହମାନଙ୍କୁ ଖୋଜାଯିବ, ଯେଉଁଠାରେ ସୂର୍ଯ୍ୟଙ୍କ ପରି ତାରା ନାହାନ୍ତି, ବରଂ ଲାଲ୍ ବାମନ ତାରା ଅଛନ୍ତି। ଯଦି ପୃଥିବୀର ଅନ୍ଧାର ଗୁମ୍ଫାରେ ଜୀବନ ବଞ୍ଚିପାରୁଛି, ତେବେ ମହାକାଶର ଅନ୍ୟ କୌଣସି ଗ୍ରହରେ ଜୀବନ ଥାଇପାରେ, ଏହି ଆଶା ଏବେ ଦ୍ୱିଗୁଣିତ ହୋଇଛି।