Latest Odisha News

BREAKING NEWS

ଭାଲେଣ୍ଟାଇନ୍ ଡ଼େ ପୂର୍ବରୁ ଗୋଲାପ ଆମଦାନୀ ବନ୍ଦ

ଭାଲେଣ୍ଟାଇନ୍ସ ଡ଼େ ପାଳନ ପାଇଁ ଏବେକାର ଯୁବପିଢୀଙ୍କ ଭିତରେ ଭରପୂର ଉତ୍ସାହ । ସେଥିପାଇଁ ପ୍ରେମୀଯୁଗଳମାନେ କେତେ କ’ଣ ଯୋଜନା କରିଛନ୍ତି । ତେବେ ନେପାଳରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଖଟକା ଖବର । ଭାଲେଣ୍ଟାଇନ୍ସ ଡ଼େକୁ ଆଖିରେ ରଖି ନେପାଳ ସରକାର ଭାରତ ଓ ଚୀନ୍‌ରୁ ଗୋଲାପ ଆମଦାନୀକୁ ବ୍ୟାନ ଘୋଷଣା କରିଛନ୍ତି ।
ଆସନ୍ତା ୧୪ ତାରିଖ ଭାଲେଣ୍ଟାଇନ୍ସ ଡ଼େ ପାଳନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ନେପାଳ ସରକାରଙ୍କ ଯୁକ୍ତି ଯେ, ଭାରତ ଏବଂ ଚୀନରୁ ସତେଜ ଗୋଲାପ ଅଧିକ ମାତ୍ରାରେ ଆମଦାନୀ ହେଲେ କୃଷି କ୍ଷେତ୍ରରେ ରୋଗ ବ୍ୟାପୀବାରେ ସମ୍ଭାବନା ରହିଛି । ବିଶେଷକରି କୃଷି ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ଭିଦ କ୍ୱାରେଣ୍ଟିନ୍ ଏବଂ କୀଟାଶକ ପରିଚାଳନା କେନ୍ଦ୍ର ଉଦ୍ଭିଦ ରୋଗର ଆଶଙ୍କା ଦର୍ଶାଇଛନ୍ତି । ସେଥିପାଇଁ ଗୋଲାପ ଆମଦାନୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସେଥିପାଇଁ ନେପାଳର ୧୫ଟି କଷ୍ଟମ ଅଫିସରେ ଭାରତ ଏବଂ ଚୀନରୁ ଆମଦାନୀ ହେଉଥିବା ଗୋଲାପକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଲାପ ଆମଦାନୀ ହେଲେ ଏହାଦ୍ୱାରା ବିଭିନ୍ନ ପ୍ରକାରର ପନିପରିବା ଉତ୍ପାଦନରେ ରୋଗ ବ୍ୟାପୀବାର ଆଶଙ୍କା ରହିଛି । ଗୋଲାପ ଓ ଅନ୍ୟ ଉଦ୍ଭିଦଠାରୁ ବ୍ୟାପୁଥିବା ରୋଗ ବହୁତ ବିପଦଜନକ ବୋଲି ସେଠାକାର କୃଷି ବିଶେଷଜ୍ଞମାନେ ମତ ରଖିଛନ୍ତିି । ସେଥିପାଇଁ ଆମଦାନୀକୁ ତୁରନ୍ତ ବ୍ୟାନ କରାଯାଇଥିବା କୁହାଯାଇଛି ।
ଭାଲେଣ୍ଟାଇନ୍ସ ଡ଼େରେ ନେପାଳରେ ପ୍ରାୟ ୩ ଲକ୍ଷ ଗୋଲାପ ବିକ୍ରି ହୋଇ ଆସୁଥିବା ରିପୋର୍ଟରୁ ଜଣାଯାଇଛି । ନେପାଳରେ ମାତ୍ର ୩୦ରୁ ୪୦ ହଜାର ଗୋଲାପ ଉତ୍ପାଦିତ ହେଉଥିବାବେଳେ ବାକିସବୁ ଭାରତ ଓ ଚୀନ୍‌ରୁ ଆମଦାନୀ ହୋଇଥାଏ । ତେବେ ଚଳିତବର୍ଷର ପ୍ରଥମ ୬ ମାସରେ ନେପାଳରେ ୧୦ ହଜାର ୬୧୨ କେଜିର ଗୋଲାପ ପାଇଁ ୧.୩ ମିଲିୟନ ଡ଼ଲାର ବ୍ୟୟ କରାଯାଇଛି ।

Comments are closed.