Latest Odisha News

BREAKING NEWS

ଆଜିଠୁ ଆରମ୍ଭ ନୂତନ ଶିକ୍ଷାବର୍ଷ; ୩ ରୁ ୮ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ବର : ଆଜିଠୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। କରୋନା ପୁର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଭାବେ ପାଠପଢ଼ାଯିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ କ୍ଲାସ ରହିବ ସେ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ।

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀ ପାଠପଢ଼ା ଆଜିଠୁ ହିଁ ଆରମ୍ଭ । ଏପ୍ରିଲ ୩ରୁ ୮ ମଧ୍ୟରେ ପ୍ରଥମରୁ ୮ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଯଦି କୌଣସି ପିଲା ନାମ ନ ଲେଖାଇ ପାରିଲେ ତେବେ ତାଙ୍କୁ ପୁନଃ ସୁଯୋଗ ଦିଆଯିବ  । ମେ’ ୫ରୁ ଗ୍ରୀଷ୍ମ ଛୁଟି ଦିଆଯିବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍‌ ୧୮ରୁ ପୁଣିଥରେ ପାଠପଢ଼ା ଆରମ୍ଭ କରାଯିବ । ୨୦୨୩ରେ ମୋଟ ୮୨ଟି ଛୁଟି ଧାର୍ଯ୍ୟ ହୋଇଛି । ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ଏବଂ ଡିସେମ୍ବର ୨୩ରୁ ୩୦ ଯାଏ ବଡ଼ଦିନ ଛୁଟି ରହିବ। ଗୋଟିଏ ଲେଖାଏ ସ୍ଥାନୀୟ ଛୁଟି ଓ ଭିଜିଟର୍ସ ଛୁଟି ଦିବସ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ଅନୁମତିରେ ସ୍ଥାନୀୟ ଛୁଟି ହେବ। ସେପଟେ ଆଜି ସୁଦ୍ଧା ପ୍ରଥମରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ସମସ୍ତ ବ୍ଲକ୍‌ ପଏଣ୍ଟ ଓ ଅଧିକାଂଶ ସ୍କୁଲରେ ପହଞ୍ଚିଯାଇଛି । ଖୁବ୍‌ଶୀଘ୍ର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦୈନଦିନ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ‘ମୋ ଡାଏରି’ ଏବଂ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକାଡେମିକ କ୍ୟାଲେଣ୍ଡର ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି।

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବା ସହ ଆଗୁଆ ସକାଳୁଆ ସ୍କୁଲ କରିପାରିବେ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ବିଦ୍ୟାଳୟ ଲାଗି ଏହା ଲାଗୁ ହେବ ବୋଲି ଜଣାପଡ଼ିଛି ।

 

 

 

Leave A Reply

Your email address will not be published.