Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ତଥା ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଉତ୍ତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଶିତଳାପଲ୍ଲୀଠାରେ ସ୍ଥାପିତ ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହସ୍ପିଟାଲ କ୍ୟାମ୍ପସ୍‌ରେ ପହଞ୍ଚିବା ପରେ ଫଳକ ଉନ୍ମୋଚନ ସହ କ୍ୟାମ୍ପସ୍ ପରିସରରେ ଚାରାରୋପଣ କରିଥିଲେ। ଆନୁଷ୍ଠାନିକ ଭାବେ ହସ୍ପିଟାଲ୍‌ଟିକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (Dr) ମନୋରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ଅବସରରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମଞ୍ଚରେ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାସଂଦ ମାନସ ମଙ୍ଗରାଜ ଏବଂ ସୋଆର ଉପସଭାପତି ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ। ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସଠାରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ। ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଣ୍ଟା ରୋଗୀ ସେବା ପ୍ରଦାନ କରାଯିବ।

ଏଠାରେ କହି ରଖୁ କି ସମ୍ ହସ୍ପିଟାଲର ଏହି ନୂତନ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ସମସ୍ତ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗ ରହିଛି। ଦେଶ ତଥା ବିଦେଶରେ ତାଲିମ ପ୍ରାପ୍ତ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ଏଠାରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ । ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ମାନ୍ୟତାରେ ଦେଶର ୧୬ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ଦୀର୍ଘ ୧୯ ବର୍ଷ ହେବ ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି। ଏହି ହସ୍ପିଟାଲ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଡାକ୍ତରୀ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛି। ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରାଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତି ଜାତୀୟ ରାଜପଥ- ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି।

Comments are closed.