ନୂଆଦିଲ୍ଲୀ: ଗତ ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ମଧ୍ଯ ହୋଇଥିଲେ।
ତେବେ ଫୁଟ ଓଭର ବ୍ରିଜ୍ ରୁ ଓହ୍ଲାଇବା ସମୟରେ କିଛି ଯାତ୍ରୀ ନିଜର ଭାରସାମ୍ୟ ହରାଇ ଅନ୍ୟମାନଙ୍କ ଉପରେ ପଡ଼ିଯିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା ନେଇ ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି। କିନ୍ତୁ ପୋଲିସ ଏହି ମାମଲାର ତଦନ୍ତ କରିଥିବା ବେଳେ ଘଟଣା ସମ୍ପର୍କରେ ଏକ ଭିନ୍ନ ତଥ୍ୟ ଦେଇଛି।
ଦିଲ୍ଲୀ ପୋଲିସ ପକ୍ଷରୁ ବିଶୃଙ୍ଖଳା କାହିଁକି ଘଟିଥିଲା ସେଥିପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି? ପୋଲିସର ରିପୋର୍ଟ ଅନୁଯାୟୀ, ଦୁଇଟି ଟ୍ରେନର ନାମ ସମାନ ଥିବାରୁ ଲୋକମାନେ ଟ୍ରେନରେ ଚଢ଼ିବା ପାଇଁ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ, ଯାହା ଫଳରେ ଦଳାଚକଟା ଆରମ୍ଭ ହୋଇଥିଲା।
ଆହୁରି ମଧ୍ଯ ପ୍ରୟାଗରାଜ ଏକ୍ସପ୍ରେସ ପୂର୍ବରୁ ପ୍ଲାଟଫର୍ମ ନମ୍ବର ୧୪ ରେ ଠିଆ ହୋଇଥିଲା। ଏହାପରେ ପ୍ରୟାଗରାଜ ସ୍ପେଶାଲ ପ୍ଲାଟଫର୍ମ ନମ୍ବର ୧୬ରେ ପହଞ୍ଚିବା ନେଇ ଘୋଷଣା ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ ଯେଉଁମାନେ ପ୍ଲାଟଫର୍ମ ନମ୍ବର ୧୪ରେ ଥିଲେ ସେମାନେ ଭାବିଲେ ଯେ ସେମାନଙ୍କ ଟ୍ରେନ୍ ପ୍ଲାଟଫର୍ମ ନମ୍ବର ୧୬ରେ ଆସୁଛି। ଯାହା ଫଳରେ ଦଳାଚକଟା ଆରମ୍ଭ ହୋଇଥିଲା। ଅପରପକ୍ଷରେ ପ୍ରୟାଗରାଜ ଅଭିମୁଖେ ୪ଟି ଟ୍ରେନ୍ ଯାଉଥିଲା। ଯେଉଁଥିରୁ ୩ଟି ବିଳମ୍ବରେ ଚାଲୁଥିବା ଯୋଗୁ ଷ୍ଟେସନରେ ପ୍ରବଳ ଗହଳି ଲାଗି ରହିଥିଲା।
ତେବେ ଦଳାଚକଟାରେ ମୃତ୍ଯୁବରଣ କରିଥିବା ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୧୦-୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।
Comments are closed.