Latest Odisha News

BREAKING NEWS

ନୂଆ ଲେବର କୋଡ୍‌ରେ କମିଯିବ ଆପଣଙ୍କ ଦରମା ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନକୁ ସରଳୀକରଣ କରି ଏବେ ୪ଟି ନୂଆ ଲେବର କୋଡ୍ ଲାଗୁ ହୋଇସାରିଛି। ଏହି ବଡ଼ ପରିବର୍ତ୍ତନ ଯୋଗୁ ଗ୍ରାଚୁଇଟି, ପିଏଫ୍ ଓ ପେନ୍‌ସନ୍ ଭଳି ରିଟାୟରମେଣ୍ଟ ଫଣ୍ଡ ଆହୁରି ମଜବୁତ୍ ହେବ, କିନ୍ତୁ ଲକ୍ଷ ଲକ୍ଷ କର୍ମଚାରୀଙ୍କ ମାସିକ ଦରମା (ଟେକ୍-ହୋମ୍ ସାଲାରି) ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ବିଶେଷଜ୍ଞମାନେ କହୁଛନ୍ତି, ସାମାଜିକ ସୁରକ୍ଷା ବଢ଼ାଇବା ପାଇଁ ଏହା ଜରୁରି ଥିଲା, କିନ୍ତୁ ଆପଣଙ୍କ ଦରମା କ’ଣ କମିଯିବ? ଏହାର ପୂରା ପ୍ରଭାବ ଜାଣିବା ବହୁତ ଜରୁରି।

୨୯ଟି ପୁରୁଣା ଶ୍ରମ ଆଇନକୁ ଏକାଠି କରି ଓ ସେଥିରେ ପରିବର୍ତ୍ତନ କରି ୪ଟି ନୂଆ ଲେବର କୋଡ୍ ତିଆରି ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ନିୟମଗୁଡ଼ିକୁ ସରଳ କରିବା ଓ କର୍ମଚାରୀଙ୍କ ସୁରକ୍ଷା ବଢ଼ାଇବା। ନୂଆ କୋଡ୍‌ରେ ଫିକ୍ସଡ୍ ଟର୍ମ, କଣ୍ଟ୍ରାକ୍ଟ ଓ ଗିଗ୍ ୱାର୍କରମାନେ ମଧ୍ୟ ସାମାଜିକ ସୁରକ୍ଷା ଛତ୍ରଛାୟାରେ ଆସିଯାଇଛନ୍ତି। ଗ୍ରାଚୁଇଟି, ପିଏଫ୍, ପେନ୍‌ସନ୍ ଭଳି ସୁବିଧାର ପରିସୀମା ବଢ଼ିଛି। କମ୍ପାନିଙ୍କ ପାଇଁ ନିୟମ ସରଳ ହୋଇଛି ଓ ଅଧିକ କର୍ମଚାରୀ ଏହି ସୁବିଧା ପାଇବେ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି – ଟେକ୍-ହୋମ୍ ସାଲାରି କ’ଣ ପ୍ରଭାବିତ ହେବ?

ନୂଆ ଆଇନରେ ‘ପାରିଶ୍ରମିକ’ର ସଂଜ୍ଞା ବଦଳି ଯାଇଛି। ଏବେ ବେସିକ୍ ସାଲାରି + ମହଙ୍ଗାଇ ଭତ୍ତା (DA) + ରିଟେନିଂ ଭତ୍ତାକୁ ମିଶାଇ ‘ପାରିଶ୍ରମିକ’ ଧରାଯିବ। କମ୍ପାନିମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ, କର୍ମଚାରୀଙ୍କ ମୋଟ ସାଲାରିର ଅତି କମ୍‌ରେ ୫୦% ଏହି ‘ପାରିଶ୍ରମିକ’ ଭାଗରେ ରହିବ। ଅର୍ଥାତ୍ ଏଚ୍‌ଆର୍‌ଏ, ଗାଡ଼ି ଭତ୍ତା ଆଦି ବାଦ୍ ଦେଇ ବାକି ସବୁ ଭତ୍ତା ଏବେ ଗ୍ରାଚୁଇଟି, ପିଏଫ୍ ଓ ପେନ୍‌ସନ୍ ହିସାବରେ ଯୋଡ଼ାଯିବ। ଏହା ଯୋଗୁ ରିଟାୟରମେଣ୍ଟ ଫଣ୍ଡ ବଢ଼ିବ, କିନ୍ତୁ ଅନ୍ୟ ଭତ୍ତା କମିଲେ ମାସିକ ଦରମା କମିଯାଇପାରେ।
ଟେକ୍-ହୋମ୍ ସାଲାରି କ’ଣ କମିବ?
ହଁ, ଅନେକ କର୍ମଚାରୀଙ୍କ ଟେକ୍-ହୋମ୍ ସାଲାରି କମିପାରେ। କାରଣ କମ୍ପାନିମାନେ ନିଜର ମୋଟ ଖର୍ଚ୍ଚ ନକମାଇବା ପାଇଁ ଭତ୍ତା (ଯେପରି ଏଚ୍‌ଆର୍‌ଏ, ଟ୍ରାଭେଲ ଆଲାଉନ୍ସ) ବେସିକ୍ + DA ବଢ଼ାଇପାରନ୍ତି। ଫଳରେ ପିଏଫ୍ ଓ ଅନ୍ୟାନ୍ୟ ଡିଡକ୍ସନ୍ ବଢ଼ିବ ଓ ଟେକ୍-ହୋମ୍ ସାଲାରି କମିଯିବ।
ଲାଭ ମଧ୍ୟ ଅଛି, ସତର୍କ ରହିବା ଦରକାର
ବିଶେଷଜ୍ଞମାନେ କହୁଛନ୍ତି – ସଟ୍ କାଳରେ ଟେକ୍-ହୋମ୍ ସାଲାରି କମିଲା ଭଳି ଲାଗିପାରେ, କିନ୍ତୁ ଲମ୍ବା କାଳରେ ଏହା କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ।
• ରିଟାୟରମେଣ୍ଟ ଫଣ୍ଡ ମଜବୁତ୍ ହେବ
• ଗ୍ରାଚୁଇଟି ଓ ପିଏଫ୍ ଅଧିକ ମିଳିବ
• ଫିକ୍ସଡ୍ ଟର୍ମ, କଣ୍ଟ୍ରାକ୍ଟ ଓ ଗିଗ୍ ୱାର୍କରମାନେ ମଧ୍ୟ ସାମାଜିକ ସୁରକ୍ଷା ପାଇବେ
• ଲମ୍ବା ସମୟରେ ଆର୍ଥିକ ସୁରକ୍ଷା ବଢ଼ିବ
ତେଣୁ ନୂଆ ଲେବର କୋଡ୍ କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରୁଛି, ଯଦିଓ ଆରମ୍ଭରେ କିଛି ଦିନ ପର୍ସରେ ଟଙ୍କା କମ୍ ଲାଗିପାରେ।

Comments are closed.