Latest Odisha News

ନବନିର୍ବାଚିତ ଲୋକସଭାର କ’ଣ ରହିଛି ବିଶେଷତ୍ୱ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ଗଠିତ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନବନିର୍ବାଚିତ ଲୋକସଭାର କ’ଣ ସବୁ ରହିଛି ବିଶେଷତ୍ୱ? କିପରି ରହିଛି ପ୍ରୋଫାଇଲ୍ । ଆସନ୍ତୁ ନଜର ପକାଇବା ।

ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏଥର ଲୋକସଭାକୁ ମୋଟ ୪୧ ଦଳର ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଲୋକସଭାର ୫୪୩ ଆସନ ମଧ୍ୟରୁ ଜାତୀୟ ଦଳଗୁଡିକ ଜିତିଛନ୍ତି ୩୬୪ ଆସନ । ଏହି ସଂଖ୍ୟା ମୋଟ ଆସନର ୬୪ ପ୍ରତିଶତ। ରାଜ୍ୟ ଦଳଗୁଡିକ ଜିତିଛନ୍ତି ୧୭୯ ଆସନ । ଅଣସ୍ୱୀକୃତ ଦଳଗୁଡିକ ୧୧ ଆସନରେ ବିଜୟୀ ହୋଇଥିବା ବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ନବଗଠିତ ଲୋକସଭାରେ ୨୪୦ ଆସନ ସହ ବିଜେପି ବଡ ଦଳ ହୋଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ୯୯ ଆସନ ସହ ଦ୍ୱିତୀୟ ବଡ ଦଳ ହୋଇଛି । ୩୭ ଆସନ ସହ ତୃତୀୟ ସ୍ଥାନରେ ରହିଛି ସମାଜବାଦୀ ପାର୍ଟି ।

ନବଗଠିିତ ଲୋକସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୬୨ ଜଣ ପୂର୍ବରୁ ସଦସ୍ୟ ରହିଆସିଛନ୍ତି । ସେମାନଙ୍କ ମଧ୍ୟରୁ ୨୧୬ ଜଣ ଗତ ଲୋକସଭାର ମଧ୍ୟ ସଦସ୍ୟ ଥିଲେ । ଅର୍ଥାତ ଗତ ଲୋକସଭାର ୪୦ ପ୍ରତିଶତ ସଦସ୍ୟ ପୁନଃ ନିର୍ବାଚିତ ହୋଇଛନ୍ତି । ପୁନଃ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ୮ ଜଣ ଏଥର ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିଥିଲେ । ଜଣେ ସଦସ୍ୟ ଦୁଇଟି ଲୋକସଭା ଆସନରୁ ଜିତିଛନ୍ତି ।

ନୂଆ ଲୋକସଭାର ସଦସ୍ୟଙ୍କ ହାରାହାରି ବୟସ ହେଉଛି ୫୬ ବର୍ଷ, ଯାହା କି ଗତ ଲୋକସଭାରେ ଥିଲା ୫୯ । ଏଥର ୪୦ ବର୍ଷ ବା ଏହାଠୁ କମ୍ ବୟସର ଲୋକସଭା ସଦସ୍ୟଙ୍କ ସଂଖ୍ୟା ୧୧ ପ୍ରତିଶତ ଥିବା ବେଳେ ୩୮ ପ୍ରତିଶତ ସଦସ୍ୟଙ୍କ ବୟସ ୪୧ରୁ ୫୫ ବର୍ଷ ମଧ୍ୟରେ ରହିଛି । ନୂଆ ଲୋକସଭାରେ ୫୨ ପ୍ରତିଶତ ସଦସ୍ୟଙ୍କ ବୟସ ୫୫ ବର୍ଷରୁ ଅଧିକ ରହିଛି ।

ନୂଆ ଲୋକସଭାର ସବୁଠୁ ବୟସ୍କ ସଦସ୍ୟଙ୍କ ବୟସ ହେଉଛି ୮୨ ବର୍ଷ । ସେ ହେଉଛନ୍ତି ଡିଏମକେ ସଦସ୍ୟ ଟି.ଆର ବାଲୁ । ସମାଜବାଦୀ ପାର୍ଟିର ପୁଷେ୍‌ପନ୍ଦ୍ର ସରୋଜ, ପ୍ରିୟା ସରୋଜ ଏବଂ ଲୋକ ଜଲଶକ୍ତି ପାର୍ଟିର ସମ୍ଭାବୀ ଜାଟଭ ଓ ସଂଜନା ଜାଟଭ ଏଥର ଲୋକସଭାର କନିଷ୍ଠ ସଦସ୍ୟ । ସମସ୍ତଙ୍କ ବୟସ ୨୫ ବର୍ଷ ।

ଏଥର ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ହେଉଛି ମାତ୍ର ୭୪ । ୨୦୧୯ ଅପେକ୍ଷା ଏହି ସଂଖ୍ୟା ସାମାନ୍ୟ କମ୍ । ଗତ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୭୮ । ଏଥର ନିର୍ବାଚିତ ହୋଇଥିବା ମହିଳା ସଦସ୍ୟଙ୍କ ମଧ୍ୟରୁ ୧୬ ପ୍ରତିଶତଙ୍କ ବୟସ ୪୦ ବର୍ଷରୁ କମ୍ । ଏଥର ନିର୍ବାଚିତ ହୋଇଥିବା ୩୦ ଜଣ ମହିଳା ସଦସ୍ୟ ପୂର୍ବରୁ ମଧ୍ୟ ଲୋକସଭାର ସଦସ୍ୟ ଥିଲେ ।

ଅଷ୍ଟାଦଶ ଲୋକସଭାର ୭୮ ପ୍ରତିଶତ ସଦସ୍ୟ ସ୍ନାତକ ଶିକ୍ଷା ହାସଲ କରିଛନ୍ତି । ନବନିର୍ବାଚିତ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ଅନେକ କୃଷି ଓ ସମାଜ ସେବାକୁ ନିଜର ବୃତ୍ତି ଭାବେ ଦର୍ଶାଇଛନ୍ତି ।

Comments are closed.