Latest Odisha News

BREAKING NEWS

ଜେଏନୟୁରେ ଲାଗୁ ହେଲା ନୂଆ ନିୟମ, ଧାରଣା ଦେଲେ ୨୦ ହଜାର ଫାଇନ, ହିଂସା କଲେ ରଦ୍ଦ ହେବ ଆଡ଼ମିସନ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଜେଏନୟୁ ବା ଜବାହାରଲାଲ ନେହେରୁ ୟୁନିଭର୍ସିଟି ପକ୍ଷରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନିୟମ ଜାରି କରାଯାଇଛି । ବିଶେଷ କରି କ୍ୟାମ୍ପସ ପରିସରରେ ଅଧିକାଂଶ ସମୟରେ ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ଓ ଧାରଣାକୁ ନଜରରେ ରଖି ଏଥର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କଡା ନିୟମ ପ୍ରଣୟନ କରିଛନ୍ତି । ଏହି ନୂଆ ନିୟମ ମୁତାବକ ବିଶ୍ୱବିଦ୍ୟାଳୟ ପରିସରରେ ଯଦି କେହି ଛାତ୍ର ଧାରଣା ଦେବେ ତେବେ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।

ସେହିପରି ଯଦି କେହି ଛାତ୍ର କ୍ୟାମ୍ପସ ପରିସରରେ ହିଂସାକାଣ୍ଡ କରୁଥିବାର ଜଣାପଡନ୍ତି ବା ଆନ୍ଦୋଳନରେ ସାମିଲ ହୋଇ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଥିବାର ଜଣାପଡେ ତେବେ ଉକ୍ତ ଛାତ୍ରଙ୍କ ଆଡ଼ମିସନ ରଦ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଡ଼ମିସନ ରଦ୍ଦ ବ୍ୟତୀତ ଏହି ଛାତ୍ରଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ । ‘ଛାତ୍ରଛାତ୍ରୀଙ୍କ ପାଇଁ ଅନୁଶାସନ ନିୟମ ଓ ଉଚିତ ଆଚରଣ’ ଶୀର୍ଷକରେ ଜେଏନୟୁ ପ୍ରଶାସନ ଏହି ୧୦ ପୃଷ୍ଠା ସମ୍ବଳିତ ନିୟମାବଳୀ ଜାରି କରିଛି ।

ଏହି ନିୟମ ପିଛିଲା ଭାବେ ଗତ ୩ ଫେବୃୟାରୀରୁ ଲାଗୁ ହୋଇଥିବା କୁହାଯାଇଥିବାବେଳେ କିଛିଦିନ ତଳେ କ୍ୟାମ୍ପସ ପରିସରରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟ୍ରି ଦେଖେଇବାକୁ ନେଇ ଛାତ୍ରଗୋଷ୍ଠୀମାନଙ୍କ ମଧ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.