Latest Odisha News

BREAKING NEWS

ରେଳବାଇ କର୍ମଚାରୀଙ୍କ ପାଇଁ ଖୁସି ଖବର: ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ପୋଷ୍ଟିଂ ଦେବା ପାଇଁ ବଦଳିଲା ନିୟମ

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ରେଳବାଇ କର୍ମଚାରୀ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ରେଳବାଇରେ କାର୍ଯ୍ୟରତ ସ୍ୱାମୀ-ସ୍ତ୍ରୀ ଯେପରି ଗୋଟିଏ ସ୍ଥାନରେ ରହିପାରିବେ ଏବଂ ପରିବାର ସହ ସମୟ ବିତାଇପାରିବେ, ସେଥିପାଇଁ ରେଳୱେ ବୋର୍ଡ ନିଜର ବଦଳି ଏବଂ ପୋଷ୍ଟିଂ ନିୟମରେ ପରିବର୍ତ୍ତନ କରିଛି। ୨୦୧୦ ମସିହାର ପୁରୁଣା ନିୟମଗୁଡ଼ିକୁ ସଂଶୋଧନ କରି ବୋର୍ଡ ପକ୍ଷରୁ ନୂଆ ଏବଂ ସହାନୁଭୂତିଶୀଳ ମାର୍ଗଦର୍ଶିକା ଜାରି କରାଯାଇଛି।

ରେଳୱେ ବୋର୍ଡ ସ୍ପଷ୍ଟ କରିଛି ଯେ, ଯଥାସମ୍ଭବ ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ଗୋଟିଏ ଷ୍ଟେସନ କିମ୍ବା ପାଖାପାଖି ସ୍ଥାନରେ ନିଯୁକ୍ତି ଦିଆଯିବା ଉଚିତ। ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କର୍ମଚାରୀମାନେ ଯେପରି ଏକ ସୁସ୍ଥ ପାରିବାରିକ ଜୀବନ ବଞ୍ଚିପାରିବେ ଏବଂ ନିଜ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଇପାରିବେ। ଏହି ନୂତନ ନିୟମଗୁଡ଼ିକ ମୁଖ୍ୟତଃ ଅଣ-ଗେଜେଟେଡ୍ କର୍ମଚାରୀମାନଙ୍କ ପାଇଁ ଲାଗୁ ହେବ। ଗେଜେଟେଡ୍ ଅଧିକାରୀଙ୍କ କ୍ଷେତ୍ରରେ ପୂର୍ବ ନିୟମ ବଳବତ୍ତର ରହିବ ।

ଯଦି ଉଭୟ ଏକା ବିଭାଗ କିମ୍ବା ସିନିୟରିଟି ୟୁନିଟରେ କାର୍ଯ୍ୟରତ, ତେବେ ଉଭୟଙ୍କୁ ଗୋଟିଏ ଜାଗାରେ ପୋଷ୍ଟିଂ ଦେବାକୁ ଚେଷ୍ଟା କରାଯିବ। ତେବେ ଧ୍ୟାନ ରଖାଯିବ ଯେ, କେହି ଯେପରି ଅନ୍ୟ ଜଣକ ଅଧୀନରେ କାର୍ଯ୍ୟ ନ କରନ୍ତି।

ଯଦି ଉଭୟ ଅଲଗା ଅଲଗା ୟୁନିଟରେ ଥାଆନ୍ତି, ତେବେ ଏପରି ଏକ ଷ୍ଟେସନରେ ପୋଷ୍ଟିଂ ଦିଆଯିବ ଯେଉଁଠାରେ ଉଭୟଙ୍କ ପାଇଁ ଉପଯୁକ୍ତ ପଦବୀ ଖାଲି ଥିବ। ଯଦି ଏହା ସମ୍ଭବ ନହୁଏ, ତେବେ କର୍ମଚାରୀଙ୍କ ଅନୁରୋଧ କ୍ରମେ କାଟାଗୋରୀ ପରିବର୍ତ୍ତନ ଉପରେ ମଧ୍ୟ ବିଚାର କରାଯାଇପାରେ ।

ଯଦି ଜଣେ ରେଳବାଇରେ ଏବଂ ଅନ୍ୟ ଜଣେ ଅଲ୍ ଇଣ୍ଡିଆ ସର୍ଭିସ୍ କିମ୍ବା ଅନ୍ୟ କୌଣସି କେନ୍ଦ୍ରୀୟ ସଂସ୍ଥାରେ ଅଛନ୍ତି, ତେବେ ରେଳ କର୍ମଚାରୀଙ୍କୁ ନିଜ ଜୀବନସାଥୀଙ୍କ କାର୍ଯ୍ୟକ୍ଷେତ୍ର ଅଧୀନରେ ଆସୁଥିବା ରେଳବାଇ ଡିଭିଜନରେ ପୋଷ୍ଟିଂ ଦେବାକୁ ପ୍ରାଥମିକତା ଦିଆଯିବ।

ଜୀବନସାଥୀ ରାଜ୍ୟ ସରକାର କିମ୍ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ଚାକିରି କରୁଥିଲେ ମଧ୍ୟ ସମାନ ନିୟମ ଲାଗୁ ହେବ। ଆବଶ୍ୟକ ପଡ଼ିଲେ ରେଳବାଇ କର୍ମଚାରୀ ନିଜର କଣ୍ଟ୍ରୋଲିଂ ଅଧିକାରୀଙ୍କୁ ନିକଟସ୍ଥ ଅଞ୍ଚଳକୁ ବଦଳି ପାଇଁ ଅନୁରୋଧ କରିପାରିବେ ଏବଂ ଏହା ଉପରେ ସହାନୁଭୂତିର ସହ ବିଚାର କରାଯିବ।

ଯଦି କୌଣସି ପ୍ରଶାସନିକ କାରଣରୁ ଏହି ନିୟମ ଅନୁଯାୟୀ ବଦଳି ଦିଆଯାଇ ନପାରେ, ତେବେ ତାର କାରଣ ସ୍ପଷ୍ଟ କରିବାକୁ ପଡ଼ିବ। ଏହି କ୍ଷେତ୍ରରେ କର୍ମଚାରୀମାନେ ଅଭିଯୋଗ ମଧ୍ୟ କରିପାରିବେ। ଏହି ଅଭିଯୋଗର ଶୁଣାଣି ପ୍ରାଥମିକ ନିଷ୍ପତ୍ତି ନେଇଥିବା ଅଧିକାରୀଙ୍କଠାରୁ ଗୋଟିଏ ସ୍ତର ଉପରେ ଥିବା ଉଚ୍ଚାଧିକାରୀ କରିବେ। ସବୁଠାରୁ ବଡ଼ କଥା ହେଉଛି, ସ୍ୱାମୀ-ସ୍ତ୍ରୀ ବଦଳି ଆବେଦନ ପାଇଁ ପ୍ରତି ଡିଭିଜନ ଏବଂ ଜୋନାଲ ସ୍ତରରେ ଏକ ସ୍ୱତନ୍ତ୍ର ରେଜିଷ୍ଟର ରଖାଯିବ ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯିବ। ବୋର୍ଡ ସ୍ପଷ୍ଟ କରିଛି ଯେ ପୁରୁଣା ନିୟମରେ ସମାଧାନ ହୋଇସାରିଥିବା ମାମଲାଗୁଡ଼ିକୁ ପୁନର୍ବାର ଖୋଲାଯିବ ନାହିଁ।

Leave A Reply

Your email address will not be published.