Latest Odisha News

BREAKING NEWS

ଆଦିବାସୀ ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କପାଇଁ ନୂତନ ଯୋଜନା ହାତକୁ ନିଆଯିବ: ଶ୍ରୀ ଗଣ୍ଡ

ଭୁବନେଶ୍ବର: ବିଭିନ୍ନ ଜୀବିକା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ବଞ୍ଚିତଙ୍କ ସ୍ୱର ହେବା ପାଇଁ ଯୁବକମାନଙ୍କୁ ଚିହ୍ନଟ କରିବାକୁ ଆହ୍ବାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅନୁସୁଚିତ ଜନଜାତି ଓ ଜାତି ଅନୁସନ୍ଧାନ ଓ ତାଲିମ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଙ୍ଗୀନ ସହଯୋଗ କରିବା ସହ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଓ ଦୂରଦୃଷ୍ଟି ସମ୍ପର୍ଣ୍ଣ ଏକ ଦସ୍ତାବିଜ ପ୍ରସ୍ତୁତ କରି ବିଭାଗକୁ ଏକ ନୂତନ ସ୍ତରରେ ପହଞ୍ଚାଇବାକୁ କହିଛନ୍ତି ଶ୍ରୀ ଗଣ୍ଡ ।

ଆଦିବାସୀ ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ରହିବା ଓ ଖାଇବା ପାଇଁ ରାଜ୍ୟବ୍ୟାପୀ ଆଦିବାସୀଙ୍କ ପାଇଁ ବହୁମୁଖୀ କମ୍ୟୁନିଟି ସେଣ୍ଟର ଏବଂ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସହରାଞ୍ଚଳ ଆବାସିକ ବ୍ୟବସ୍ତା ନିର୍ମାଣ ପାଇଁ ଏକ ନୂତନ ଯୋଜନା ହାତକୁ ନିଆଯିବ । ଏଥିସହ ସହରାଞ୍ଚଳରେ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ ପାଇଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ୱେଷା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆହ୍ୱାନ ଦେବା ସହ ରାଜ୍ୟ ଯୋଜନା ମାଧ୍ୟମରେ ସାରା ରାଜ୍ୟରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀମାନେ କିଭଳି ଉଚ୍ଚଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ଯୋଜନା ମାଧ୍ୟମରେ ଅଧିକ ହଷ୍ଟେଲ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀ ଗଣ୍ଡ ।

ଓଡ଼ିଶାରେ ବର୍ତମାନ ୬୪ଟି ଆଦିବାସୀ ସମ୍ପ୍ରଦାୟ ଓ ୧୩ଟି ଆଦିମ ଜନଜାତି ଗୋଷ୍ଠୀ ରହିଛନ୍ତି । ଏହି ସବୁ ଗୋଷ୍ଠୀଙ୍କୁ ଆଧାର ଅନ୍ତର୍ଭୁକ୍ତ କରାଯିବ । ଆଦିବାସୀଙ୍କୁ ଅର୍ଥନୈତିକ ପ୍ରୋତ୍ସାହନ ଦେବା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ (ଏମଏଫପି) କ୍ରୟ ବ୍ୟବସ୍ଥା କରିବା ଗ୍ରାମ ପଂଟାୟତଗୁଡ଼ିକୁ କ୍ରୟ ୟୁନିଟ୍ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।  କୋରାପୁଟ କଫି ଓଡ଼ିଶାର ଏକ ଅନନ୍ୟ ଆଦିବାସୀ ଉତ୍ପାଦ ଯାହା ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଥିବାରୁ ଶ୍ରୀ ଗଣ୍ଡ ଏହାକୁ ପ୍ରଶଂସା କରିଥିଲେ । ଗୁଣାତ୍ମକ ଏବଂ ଜୈବିକ କଫିର ଉତ୍ପାଦକୁ ଉନ୍ନତ କରିବା ଦ୍ୱାରା ପ୍ରକ୍ରିୟାକରଣ ଏବଂ ଚାଷ ସହିତ ଜଡିତ ଆଦିବାସୀ ଗୋଷ୍ଠୀ ଉପକୃତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଗଣ୍ଡ ।

Leave A Reply

Your email address will not be published.