Latest Odisha News

BREAKING NEWS

ବିଏମସିର ନୂଆ ଅଭିଯାନ, ବାହାରେ ଅଳିଆ ପକାଇଲେ ଘରେ ଲଗାଇବ ଲାଲ୍ ଷ୍ଟିକର

ଭୁବନେଶ୍ବର : ଘର ବାହାରେ ଅଳିଆ ପକାଉଛନ୍ତି କି ? ଯଦି ପକାଇଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଘର କାନ୍ଥରେ ଲାଗିବ ଲାଲ୍ ଷ୍ଟିକର । ଏପରି ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଭୁବନେଶ୍ବର ବାସିନ୍ଦାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛି ବିଏମସି ।

ଘର ଘର ବୁଲି ଦୈନିକ ଦୁଇଥର ସଂଗ୍ରହ କରାଯାଉଛି ବର୍ଜ୍ୟବସ୍ତୁ । ସଫେଇବାଲା ଓ ସଫେଇ ଗାଡ଼ିରେ ସଂଗ୍ରହ କରାଯାଉଛି ବର୍ଜ୍ୟ । ଲୋକଙ୍କୁ ସଚେତନ କରିବାକୁ ନିୟୋଜିତ ଅଛନ୍ତି ସ୍ୱଚ୍ଛ ସାଥି । ଦୀର୍ଘଦିନ ଧରି ଲୋକଙ୍କୁ ସଚେତନ କରିବା ପରେ ଆଜି ଠାରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରି ସଫେଇ ବାଲା ବା ସଫେଇ ଗାଡ଼ିରେ ଦେଉଥିବା ବ୍ୟକ୍ତିଙ୍କୁ ସବୁଜ ଷ୍ଟିକର ଦିଆଯାଉଛି । ସେହିପରି ଯେଉଁ ବ୍ୟକ୍ତି ବିନା ପୃଥକୀକରଣରେ ବର୍ଜ୍ୟ ଦେଉଛନ୍ତି, ସେମାନଙ୍କୁ କମଳା ରଙ୍ଗର ଷ୍ଟିକର ଦିଆଯାଉଛି । ଏହି ଦୁଇଟିକୁ ବାଦଦେଲେ ଯେଉଁ ବ୍ୟକ୍ତି ବାହାରେ ବର୍ଜ୍ୟ ପକାଉଛନ୍ତି, ସେମାନଙ୍କୁ ଲାଲ୍ ଷ୍ଟିକର ଦିଆଯାଇ ଚିହ୍ନଟ କରାଯାଉଛି । ଏହାଦ୍ବାରା ବର୍ଜ୍ୟ ବାହାରୁଥିବା ମୂଳ ଉତ୍ସରେ ହିଁ ସେଗୁଡିକର ପୃଥକୀକରଣ ହୋଇପାରିବ ।

Leave A Reply

Your email address will not be published.