Latest Odisha News

BREAKING NEWS

ଶୀଘ୍ର ଆରମ୍ଭ ହେବ ତାଳଚେରରେ ନୂଆ ତାପଜ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟ

ଭୁବନେଶ୍ୱର: ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ଚାଲୁ ରଖିବା ପାଇଁ ରାଜ୍ୟ ସରକାର ଏବଂ ଏନଟିପିସି ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠି ଅନୁସାରେ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ତାଳଚେରରେ ଥିବା ପୁରୁଣା ତାପଜ ବିଦ୍ୟୁତ୍ କେନ୍ଦ୍ର ଚଳାଇବା ଏବଂ ନୂଆ ୟୁନିଟ୍ ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଛି ।

ତାଳଚେରରେ ରାଜ୍ୟର ବିଦ୍ୟୁତ୍ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲଟ୍ରା-ମେଗା ପାୱାର ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ହୋଇଛି । ନୂଆ ୟୁନିଟର ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତର ବିପଣୀ ଓ କାରବାର ସମ୍ବନ୍ଧରେ ଗ୍ରୀଡକୋ ଏବଂ ଏନଟିପିସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଥିଲା । ଏ ବିଷୟରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂ କହିଥିଲେ ।

ତାଳଚେରର ନୂଆ ୟୁନିଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟକୁ ଚଳାଇ ରଖିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ଏହି ପ୍ଲାଣ୍ଟ ସହ ଅନେକ ଲୋକଙ୍କର ଜୀବିକା ଜଡ଼ିତ ଥିବାରୁ ଏହା ଚଳାଇ ରଖିବା ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ତାଳଚେର ତାପଜ କେନ୍ଦ୍ର ଏନଟିପିସିର ଉତ୍କୃଷ୍ଟ କେନ୍ଦ୍ରଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । କିଛି ପୁଞ୍ଜି ବିନିଯୋଗ ସହ ଏହି ପ୍ଲାଣ୍ଟର ନବୀକରଣ କରି ଏହାକୁ ପୁନଃ ଚଳାଇବା ଉଚିତ୍ ହେବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧିତ କିଛି ପଦକ୍ଷେପ ସହ ଏହି ପ୍ଲାଣ୍ଟ ଚଳାଯାଇ ପାରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସମ୍ପାଦକ ଡ. କେ.ମୁରୁଗେସନ୍ କହିଛନ୍ତି । ପ୍ଲାଣ୍ଟର ନିରାପତ୍ତା ଅଡିଟ୍ କରି ଏହି ପ୍ଲାଣ୍ଟକୁ ପୁନଃ ଚଳାଇବା ନିମନ୍ତେ ସମସ୍ତ ସମ୍ଭାବନାର ଅନୁଧ୍ୟାନ କରିବା ପାଇଁ ଏନଟିପିସି ଅଧ୍ୟକ୍ଷ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଓ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇତି ମଧ୍ୟରେ ନୂତନ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ କମିଟି ଅନୁମୋଦନ କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁସାରେ ଏଥିରେ ପ୍ରାୟ ୭,୭୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହେବ । ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଜମି, ଜଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଏନଟିପିସିକୁ ଯୋଗାଇ ଦେଇଛନ୍ତି । ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଇଛନ୍ତି ଏନଟିପିସି ଅଧ୍ୟକ୍ଷ ।

Leave A Reply

Your email address will not be published.