ସତାନା: ଯାହାକୁ ଭଗବାନ ବଂଚାଇବାକୁ ଚାହିଁବେ ତାଙ୍କୁ କିଏ ବା ମାରିପାରିବ । ଏ ଭଳି ଏକ ଘଟଣା ଛତିଶଗଡର ସତାନାରେ ଦେଖିବାକୁ ମିଳିଛି । ଗୋଟିଏ କୁକୁର ଏକ ଛୋଟ ଛୁଆ ପାଇଁ ଦେବଦୂତ ସାଜିଛି । କୁକୁର ଯୋଗୁ ୨ଟି ନିଷ୍ପାପ ଜୀବର ଜୀବନ ବଂଚିପାରିଛି । ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ସୁଧୀର ଜୈନ ନାମକ ଜଣେ ବ୍ୟକ୍ତି ସବୁଦିନ ପରି ପ୍ରାତଃଭ୍ରମଣରେ ବାହାରିଥିଲେ । ଘରୁ କିଛି ବାଟ ଯିବା ପରେ ସେ ଗୋଟିଏ କୁକୁର ଭୁକୁଥିବା ଦେଖିବାକୁ ପାଇଥିଲେ । ଏହା ଏକ ସାଧାରଣ ଘଟଣା ଭାବି ସେ ପଳାଇ ଯାଉଥିଲେ । ମାତ୍ର କୁକୁରଟି ଗୋଟିଏ କୂଅ ନିକଟକୁ ଯାଇ ଜୋରରେ ଭୁକୁଥିଲା । ଏହା ଦେଖି ସୁଧୀରଙ୍କ ମନରେ ସନ୍ଦେହ ହୋଇଥିଲା ।
ସେ ପାଖକୁ ଯାଇ ଦେଖିଲା ବେଳକୁ ତାଙ୍କ ପାଦ ତଳୁ ଭୂମି ଖସି ଯାଇଥିଲା । କୂଅ ଭିତରେ ଗୋଟିଏ ୩ ମାସର ଛୋଟ ପିଲା କାନ୍ଦୁଥିଲା । ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ବହୁତ କଷ୍ଟରେ ଫାୟାର ବ୍ରିଗେଡ ଶିଶୁଟିକୁ ଉଦ୍ଧାର କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନର କଥା ଶିଶୁ ପାଖରେ ଗୋଟେ ଛୋଟ କୁକୁର ଛୁଆ ମଧ୍ୟ ରହିଥିଲା । ଉଭୟ ଏବେ ବିପଦମୁକ୍ତ । ତେବେ ଏହି ଛୋଟ ପିଲାଟି କିପରି କୂଅ ଭିତରେ ପଡିଲା ତାର ତଦନ୍ତ ପୋଲିସ ଆରମ୍ଭ କରିଛି । ସମ୍ପୂର୍ଣ୍ଣ ଅଂଚଳରେ ଲାଗି ରହିଥିବା ସିସିଟିଭି ଫୁଟେଜକୁ ପୋଲିସ ଅନୁଧ୍ୟାନ କରିବାରେ ଲାଗିଛି । ଶିଶୁର ମାତାପିତାଙ୍କୁ ପୋଲିସ ଏବେ ଖୋଜୁଛି । ଅବଶ୍ୟ ଏହା ସ୍ପଷ୍ଟ ହୋଇ ପାରି ନ ଥିଲା ଯେ, କୂଅରୁ ମିଳିଥିବା କୁକୁର ଛୁଆ ଭୁକୁଥିବା କୁକୁରର କିମ୍ବା ନୁହେଁ ।
Comments are closed.