Latest Odisha News

BREAKING NEWS

ଏନଜିଟିର ନିର୍ଦ୍ଦେଶ: ପରବର୍ତ୍ତୀ ଶୁଣାଣି ଯାଏ ଶିଖରଚଣ୍ଡୀ ପାହାଡରେ ହୋଇପାରିବନି କୌଣସି ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ କାମ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ହସ୍ତକ୍ଷେପ କରିଛନ୍ତି। ଏନଜିଟିର ଚାରି ଜଣିଆ ଖଣ୍ଡପୀଠ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିର୍ମାଣ କାମ ବନ୍ଦ କରିବା ସହ ମିଳିତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ପ୍ରକଳ୍ପର ଅପୂରଣୀୟ ପରିଣାମକୁ ହୃଦୟଙ୍ଗମ କରି ଆସନ୍ତା ଜୁଲାଇ ୫ ତାରିଖ ଯାଏ ନିର୍ମାଣ କାମ ବନ୍ଦ ରଖିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହି ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ପରିବେଶ ମନ୍ତ୍ରାଳୟର ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଏହି ଚାରି ଜଣିଆ ଯୁଗ୍ମ କମିଟି ଗଠନ କରାଯିବ। ଯେଉଁଥିରେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ରହିବେ। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଶିଖରଚଣ୍ଡୀ ପାହାଡ଼ରେ ମାଟି ଚଳପ୍ରଚଳ, ପଥର ବ୍ଲାଷ୍ଟିଂ, ଗଛ କଟା ଆଦି ନିର୍ମାଣ କାମକୁ ନେଇ ସ୍ଥାନୀୟ ବାସିନ୍ଦା ସଚିନ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏନଜିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପାହାଡରେ ବିରଳ ଔଷଧୀୟ ଓ ବନ୍ୟ ଉଦ୍ଭିଦ ପ୍ରଜାତି ରହୁଥିବାରୁ ତାହାକୁ ପ୍ରତିଷ୍ଠିତ ଜର୍ଣ୍ଣାଲରେ ଲିପିବଦ୍ଧ କରାଯାଇଥିବା ଦର୍ଶାଇ ଆବେଦନକାରୀ ପରିବେଶ ପ୍ରତି ହେଉଥିବା କ୍ଷତି ଉପରେ ଆଲୋକପାତ କରିଥିଲେ।

ଏହି ପ୍ରକଳ୍ପ ବନ (ସଂରକ୍ଷଣ) ଆଇନ ୧୯୮୦ର ଉଲ୍ଲଙ୍ଘନ ହୋଇପାରେ ଏବଂ ଏହା ଦ୍ୱାରା ପାହାଡ଼ର ଜୈବ ବିବିଧତା ଓ ଅଖଣ୍ଡତା ନଷ୍ଟ ହୋଇପାରେ ବୋଲି ଏନଜିଟି ସ୍ୱୀକାର କରିଛନ୍ତି।

ତେଣୁ ଏନଜିଟି ଆଇନର ଧାରା ୧୫ ଅନୁଯାୟୀ ଏହାର କ୍ଷମତା ବ୍ୟବହାର କରି ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଛି ଏନଜିଟି।

Comments are closed.