ଭୁବନେଶ୍ୱର: ଜଣେ ଆଦିବାସୀ ଯୁବତୀଙ୍କ ବିନା ଅନୁମତିରେ କାହିଁକି ବନ୍ଧ୍ୟାକରଣ କରାଗଲା ସେ ନେଇ ଜାତୀୟ ମାନବାଧିକାର କମିସନ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି। ଅବିବାହିତ ଓ ଭିନ୍ନକ୍ଷମ (ବାକ୍ ବିକୃତି) ଥିବା ଏହି ଯୁବତୀଙ୍କୁ ମାଲକାନଗିରି ଜିଲ୍ଲାର ଏକ ଡାକ୍ତରଖାନାରେ ବନ୍ଧ୍ୟାକରଣ କରାଯାଇଥିବା ଅଭିଯୋଗ ହୋଇଛି।
ଏନ୍ଏଚ୍ଆରସି ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍) ମାଗିଛନ୍ତି। ଏଥିସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ରାଧାକାନ୍ତ ତ୍ରିପାଠୀ ନାମକ ଜଣେ ମାନବାଧିକାର କର୍ମୀ ଏହି ମାମଲାକୁ ଏନ୍ଏଚ୍ଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯୁବତୀଙ୍କ ବିନା ଅନୁମତିରେ ବନ୍ଧ୍ୟାକରଣ କରାଯାଇଥିବା ବେଳେ ତାଙ୍କୁ ଏହି ପ୍ରକ୍ରିୟା ସମ୍ପର୍କରେ ଅବଗତ ମଧ୍ୟ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି।
ଏନ୍ଏଚ୍ଆରସି ମାମଲାକୁ ନିଜଆଡୁ ଗ୍ରହଣ କରିବା ସହ ଚାରି ସପ୍ତାହ ମଧ୍ୟରେ ଏଟିଆର୍ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କି କି ପଦକ୍ଷେପ ନିଆଯାଉଛି ସେନେଇ ବିସ୍ତୃତ ରିପୋର୍ଟ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.